ବଡପଣ ଦେଖାଇଲେ ରେସ୍ତୋରାଁ ମାଲିକ । ଗରିବ ଓ ଅନାଥ ପିଲାଙ୍କୁ ପେଟପୂରା ଖୁଆଇଲେ, ଆଇସକ୍ରିମ୍ ବି ଦେଲେ । 

247
କନକ ବ୍ୟୁରୋ: ଆଖି ସାମ୍ନାରେ ଭଳିକି ଭଳି ସୁଆଦିଆ ଖାଦ୍ୟ । ଶଙ୍ଖ ମଲମଲ ସଫେଦ ପ୍ଲେଟରେ ବଢା ହୋଇଛି ଗରମା ଗରମ ଖାନା । ଖାଇବା ଉପରେ ଆଖି ପଡିଗଲେ ପେଟ ତ ଅଧା ପୂରି ଯାଉଛି । ଆଉ ତା ମହମହ ବାସ୍ନାରେ ପାଟିରେ ପାଣି ପଳେଇ ଆସୁଛି । ଲୋଭକୁ ଆଉ ଆୟତ୍ତ କରିହେଉନି ।
ରଙ୍ଗୀନ ରେଣ୍ଟୁରାଣ୍ଟ, ସୁନ୍ଦର ଚେୟାର, ହାତ ପାଉନଥିବା ଟେବୁଲ ଉପରେ ବସି ଖାଉଛନ୍ତି କୁନି କୁନି ପିଲା । ଷ୍ଟାଟରଠୁ ଆରମ୍ଭ କରି ମିଲ । ଓଡିଶାର ଦେଶୀ ଖାନାଠୁ ଆରମ୍ଭ କରି ଚାଇନିଜ୍ ଆଇଟମ୍ । ପିଲାଙ୍କୁ ଗୋଟେ ପରେ ଖାଦ୍ୟ ପରଷି ଦେଉଛନ୍ତି ହୋଟେଲ କର୍ମଚାରୀ । ଆଉ ଭାରି ଆନନ୍ଦରେ ସେସବୁକୁ ଖାଉଛନ୍ତି ବସ୍ତିରେ ବଢିଥିବା ଏ ପିଲାମାନେ ।
ବସ୍ତିର ଝାଟିମାଟି ଘରେ, ଷ୍ଟିଲ ଥାଳିରେ ଖାଉଥିବା ହାତ ଆଉ ଆସନରେ ବସୁଥିବା ପିଲା ଯେବେ ଟେବୁଲ ଚେୟାରରେ ବସି ପ୍ରଥମ ଥର ଖାଉଛନ୍ତି ତାହା ବି ପୁଣି ଏକ ବଡ ରେଷ୍ଟୁରାଣ୍ଟରେ । ସେଥିପାଇଁ ଟିକେ ଅସହଜ ଅସହଜ ମନେ କରୁଥିବା ବେଳେ ହୋଟେଲ ମାଲିକ ନିଜେ ସେମାନଙ୍କୁ ବାଢି ଦେଇଥିଲେ ଖାଦ୍ୟ ।
ତେବେ ଶିଶୁ ଦିବସ ଉପଲକ୍ଷେ ନବରଙ୍ଗପୁର ସହରରେ ଝାଡୁ କରୁଥିବା କର୍ମଚାରୀଙ୍କ ପିଲା ଓ ଶ୍ରମିକମାନଙ୍କ ପିଲାଙ୍କ ସହ ଗରିବ ଅନାଥ ପିଲାଙ୍କୁ ଡାକି ନିଜ ରେଷ୍ଟୁରାଣ୍ଟରେ ପେଟପୂରା ଖାଇବାକୁ ଦେଇଛନ୍ତି ବିଭୂତିଭୂଷଣ ଲେଙ୍କା । ଖାଲି ଖାଦ୍ୟ ନୁହେଁ ଟିଭି ଆଉ ବିଜ୍ଞାପପନରେ ଦେଖୁଥିବା ଆଇସ୍କ୍ରିମ ବି ଖାଇବାକୁ ଦେଇଛନ୍ତି  ।
ମୂଲ ମଜୁରୀ ଲାଗି ପରିବାର ଚଳାଉଥିବା ବାପାଟିଏ ନିଜ ଆର୍ଥିକ ଅନଗ୍ରସରତା ପାଇଁ ନିଜ ପିଲାଙ୍କୁ ଭଲରେ ଗଣ୍ଡେ ଖାଇବାକୁ ସକ୍ଷମ ହୁଏନି । ଓଳିଏ ଖାଇଲେ ଆର ଓଳି ଉପାସ ରହୁଥିବା ପିଲାଙ୍କ ପାଇଁ ବଡ଼ ରେଷ୍ଟୁରାଣ୍ଟ ଯାଇ ପେଟ ଖାଇବା ଏକ ସ୍ୱପ୍ନ ଭଳି । ହେଲେ ସେହି ସ୍ୱପ୍ନକୁ ସତ କରି ପିଲାଙ୍କ ମୁହଁରେ ହସ ଫୁଟାଇଛନ୍ତି  ରେଷ୍ଟୁରାଣ୍ଟର ମାଲିକ । ଯାହାକୁ ଚାରିଆଡୁ ପ୍ରଶଂସା କରାଯାଇଛି ।
https://youtu.be/zNo23Hsh19k