କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ପଦରୁ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଇସ୍ତଫା ଚର୍ଚ୍ଚା । ହିମାଚଳରେ ଲାଗିରହିଥିବା ରାଜନୈତିକ ହଟଚମଟ ଭିତରେ, କଂଗ୍ରେସ ସରକାରକୁ ବଞ୍ଚାଇବାକୁ ଯାଉ ସୁଖୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି । ତେବେ ଏନେଇ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ବି ଘୋଷଣା ହେଇନଥିଲେ ସୁଦ୍ଧା, ସୁଖୁ ତାଙ୍କ ଦଳର ପର୍ଯ୍ୟବେକ୍ଷକଙ୍କୁ ତାଙ୍କର ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।

ରାଜ୍ୟସଭା ନିର୍ବାଚନ ପରେ ହିମାଚଳରେ ରାଜନୈତିକ ହଟଚମଟ ଆରମ୍ଭ ହେଇଯାଇଛି । ଦଳର ୬ ଜଣ ବିଧାୟକ ବିଦ୍ରୋହୀ ହେଇଯିବା ସହ, ଦଳ ବିରୋଧରେ ଯାଇ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । ତେବେ ଏହାପରେ ସୁଖୁ ସରକାରରେ ସାମିଲ ଥିବା ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେବେ କଂଗ୍ରେସ ହାଇକମାଣ୍ଡ ସରକାର ବଞ୍ଚାଇବାକୁ କର୍ଣ୍ଣାଟକ ନେତା ଡିକେ ଶିବକୁମାର ଏବଂ ହରିୟାଣର ପୂର୍ବ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ପର୍ଯ୍ୟବେକ୍ଷକ କରି ହିମାଚଳ ପଠାଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିଜ ଦଳର ପର୍ଯ୍ୟବେକ୍ଷକଙ୍କ ଆଗରେ ନିଜ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଆଉ ଖୁବଶୀଘ୍ର ଏହାକୁ ସେ ରାଜ୍ୟପାଳଙ୍କ ପାଖକୁ ମଧ୍ୟ ପଠାଇପାରନ୍ତି ବୋଲି ସୂଚନା ମିଳୁଛି ।