କନକ ବ୍ୟୁରୋ: ସପ୍ତାହେ ହେବ ଟନେଲ ଭିତରେ ଫସିଛନ୍ତି ୪୦ ଜଣ ଶ୍ରମିକ । ଆଉ ଟନେଲ ବାହାରେ ଅପେକ୍ଷା କରିଛନ୍ତି ସେମାନଙ୍କ ସଂପର୍କୀୟ । ପାଇପ୍ ସାହାଯ୍ୟରେ ଫସି ରହିଥିବା ନିଜ ପରିବାର ଲୋକଙ୍କ ସହ କଥା ହେଉଛନ୍ତି । ଟନେଲ ଭିତରେ କିପରି ଅଛନ୍ତି, ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁଛନ୍ତି କି ନାହିଁ । ଏସବୁ ସଂପର୍କରେ ପଚାରି ବୁଝୁଛନ୍ତି । ସାହସର ସହିତ ରହିବା ପାଇଁ ଆଶ୍ୱାସନ ଦେବା ସହ ବ୍ୟସ୍ତ ନହେବା ପାଇଁ କହୁଛନ୍ତି । ଆଉ ଏପଟେ ଆଶା ଆଶଙ୍କାରେ ରହିଛନ୍ତି ଶ୍ରମିକଙ୍କ ପରିବାର ଲୋକ । ନିଜ ସଂପର୍କୀୟଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି । ଏହାରି ଭିତରେ ଟନେଲ ଭିତରୁ ଜଣେ ଶ୍ରମିକଙ୍କ ଭାବବିହ୍ୱଳ କଥା ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛି । ସୁଡ଼ଙ୍ଗ ଭିତରୁ ଭାଇ ବିକ୍ରମ ସହିତ କଥା ହୋଇଛନ୍ତି ପୁଷ୍କର ନାମକ ଜଣେ ଶ୍ରମିକ । କଥା ହେବା ବେଳେ ସେ କହିଛନ୍ତି, ଭାଇ, ମୁଁ ସୁଡଙ୍ଗରେ ଫସି ରହିଥିବା କଥା ମାଆକୁ କହିବ ନାହିଁ । ସତ କଥା କହିଲେ ମାଆ ବ୍ୟସ୍ତ ହୋଇପଡ଼ିବ । ମୁଁ ଏଠାରେ ଭଲରେ ରହିଛି । ଅନ୍ୟ ଶ୍ରମିକମାନେ ମଧ୍ୟ ଭଲରେ ରହିଛନ୍ତି । ଭାଇ ବିକ୍ରମ, ପୁଷ୍କରଙ୍କ ସହ କଥା ହୋଇ ତାଙ୍କ ଭଲ ମନ୍ଦ ବୁଝିଛନ୍ତି । ଏହା ସହ ବାହାରେ ଚାଲିଥିବା ରେସ୍କ୍ୟୁ ଅପରେସନ୍ ସଂପର୍କରେ ଜଣାଇଛନ୍ତି ।

Advertisment

ସପ୍ତାହେ ହେଲା ସୁଡଙ୍ଗରେ ଫସି ରହିଛନ୍ତି ୪୦ ଶ୍ରମିକ । ଉତରାଖଣ୍ଡର ଉତରକାଶୀରେ ଥିବା ଏହି ସୁଡଙ୍ଗ ଭିତରୁ ଶ୍ରମିକମାନେ କେବେ ଉଦ୍ଧାର ହେବେ ସେ ନେଇ ପ୍ରଶ୍ନ ଉଠିଛି । ଆମେରିକାର ଅଗର ମେସିନ ସାହାଯ୍ୟରେ ଡ୍ରିଲିଂ କରାଯାଇ ଶ୍ରମିକଙ୍କ ପାଖରେ ପହଂଚିବାକୁ ପ୍ରୟାସ ହୋଇଥିଲା ତାହା ଏବେ ଖରାପ ହୋଇଯାଇଛି । ପଥର ଚଟାଣ ଏତେ ଟାଣ ରହିଛି ଯେ ୨୪ ମିଟର ଖୋଳିବା ପରେ ତାର ବିୟରିଂ ନଷ୍ଟ ହୋଇଯାଉଛି । ପାଖାପାଖି ୬୦ ମିଟର ଖୋଳିବାକୁ ଉଦ୍ଦେଶ୍ୟ ରହିଛି । ଏବେ ମଧ୍ୟପ୍ରଦେଶ ଇନ୍ଦୋରରୁ ଆଉ ଦୁଇଟି ନୂଆ ଡ୍ରିଲିଂ ମେସିନ୍ ଅଣାଯାଉଛି । ସେପଟେ ଗ୍ୟାସ କଟର ସାହାଯ୍ୟରେ ଖୋଳିବାକୁ ପ୍ରୟାସ ହୋଇଛି । ଅନ୍ୟପଟେ ଯଦି ଉଦ୍ଧାରକାର୍ଯ୍ୟ ବିଳମ୍ବ ହୁଏ ତେବେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ ମାନସିକ ଅସ୍ଥିରତା ଦେଖାଦେଇପାରେ । ଟନେଲରୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଭାରତ ସମେତ ବିଦେଶର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । ପିଏମଓ, ଗୃହ ମନ୍ତ୍ରାଳୟ ସମେତ ଉତରାଖଣ୍ଡ ସିଏମଓ ଘଟଣା ଉପରେ ନଜର ରଖିଛନ୍ତି ।