ଆସିଲା ସହରୀ ଶାସନ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡ଼ : ପ୍ରଥମ ସ୍ଥାନରେ ଓଡିଶା; ୨୯ଟି ରାଜ୍ୟର ୪୦ଟି ସହରରେ ୩ବର୍ଷ ଧରି ହୋଇଥିଲା ସର୍ଭେ

ନାଗରିକ ସଶକ୍ତିକରଣରେ ବି ଓଡିଶା ପ୍ରଥମ ସ୍ଥାନରେ ।

330

କନକ ବ୍ୟୁରୋ : ସହରୀ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ ଓଡିଶା ହାସଲ କରିଛି ଏକ ନମ୍ବର । ଏନଜିଓ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ରକୁ ପଛରେ ପକାଇ ଆଗରେ ରହିଛି ଓଡିଶା । ଦେଶର ବଛା ବଛା ୪୦ ସହର ଓ ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ ୩ବର୍ଷ ଧରି ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଥିଲା ।

ସହର ପ୍ରଶାସନକୁ ସଶକ୍ତ କରିବା, ନାଗରିକ ସଶକ୍ତିକରଣ ଓ ଆର୍ଥିକ ସଶକ୍ତୀକରଣ ଭଳି ବିଭିନ୍ନ ପ୍ରସଙ୍ଗ ଆଧାରରେ ରାଜ୍ୟଗୁଡିକର ଏଭଳି ରିପୋର୍ଟକାର୍ଡ ପ୍ରକାଶ ପାଇଛି । ଓଡିଶା ୫୬ ଦଶମିକ ୮୬ ପ୍ରତିଶତ ସହ ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ୫୫ ଦଶମିକ ୧୫ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ରିପୋର୍ଟ କାର୍ଡରେ ଛତିଶଗଡ ତୃତୀୟ, କେରଳ ଚତୁର୍ଥ ଓ ମଧ୍ୟପ୍ରଦେଶ ପଂଚମ ସ୍ଥାନରେ ଅଛନ୍ତି ।

ତେବେ ସାମଗ୍ରିକଭାବେ ଦେଖିଲେ , କୌଣସି ରାଜ୍ୟ ୫୭ ପ୍ରତିଶତରୁ ଅଧିକ ସ୍କୋର କରିନାହାନ୍ତି । ତେଣୁ ସହରୀ ଶାସନରେ ସଂସ୍କାର ଓ ସଶକ୍ତିକରଣର ଆବଶ୍ୟକତା ରହିଛି ବୋଲି ପ୍ରଜା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ଏହି ସର୍ଭେରେ ୨୦ରୁ କମ ସ୍କୋର ରଖିଥିବା ରାଜ୍ୟଗୁଡିକ ହେଲା ଝାଡଖଣ୍ଡ, ଅରୁଣାଚଳ ପ୍ରଦେଶ, ମେଘାଳୟ , ମଣିପୁର ଓ ନାଗାଲାଣ୍ଡ ।