ଦୁଇବର୍ଷ ପର୍ଯ୍ୟନ୍ତ ବଢିପାରେ ଋଣ ପରିଶୋଧ ଅବଧି । ଋଣର ସୁଧ ପରେ ପୁଣି ଅଧିକ ସୁଧ ଦେବାକୁ ପଡିବ କି ନାହିଁ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

966

କନକ ବ୍ୟୁରୋ : ୨ବର୍ଷ ପର୍ଯ୍ୟନ୍ତ ବଢିପାରେ ଋଣ ପରିଶୋଧ ଅବଧି । ଦେଶରେ ଲାଗି ରହିଥିବା କରୋନା ମହାମାରୀ ଓ ଅର୍ଥନୀତି ଉପରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ ଋଣ ପରିଶୋଧ ଅବଧି ସ୍ଥଗିତ କରାଯାଇପାରେ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଅବଗତ କରାଇଛନ୍ତି । ସୁପ୍ରିମକୋର୍ଟରେ ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲା ଶୁଣାଣୀ କରିଛନ୍ତି । ଗଜେନ୍ଦ୍ର ଶର୍ମା ଓ ଆଇନଜୀବୀ ବିଶାଳ ତିୱାରୀଙ୍କ ଦ୍ୱାରା ଆଗତ ଦୁଇଟି ଆବେଦନରେ କରୋନା ମହାମାରୀ ମଧ୍ୟରେ ଋଣଦାତା ମାନଙ୍କ ଋଣ ପରିଶୋଧ ଅବଧି ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି ଯେ, ଋଣ ପରିଶୋଧ ଅବଧି ଦୁଇ ବର୍ଷ ସ୍ଥଗିତ କରାଯାଇପାରେ । ଏହାସହ ୠଣର ସୁଧ ପରେ ପୁଣି ଅଧିକ ସୁଧ ଦେବାକୁ ପଡିବ ନା ନାହିଁ ସେ ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣୀ ହେବ । ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ ଓ ଅନ୍ୟମାନେ ମିଳିତ ଭାବେ ଆଲୋଚନା କରି ସଠିକ୍ ସମାଧାନର ରାସ୍ତା ଖୋଜନ୍ତୁ । ଆବେଦନକାରୀ ବିଶାଳ ତିୱାରୀ କହିଛନ୍ତି ଯେ, ଏହା ଜନସାଧାରଣଙ୍କ ସ୍ୱାର୍ଥ ଜଡିତ ବିଷୟ ଏବଂ ସେ ବୁଧବାର ମଧ୍ୟ ସର୍ବୋଚ୍ଚ ନ୍ୟାୟାଳରେ ହାଜର ହେବେ । ଗତ ସପ୍ତାହରେ ତିୱାରୀ ଏବଂ ଶର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ଦୁଇଟି ଆବେଦନକୁ ଶୀର୍ଷ କୋର୍ଟ ଶୁଣାଣୀ ପାଇଁ ଗ୍ରହଣ କରିଥିଲେ ।