କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେରୁ ଅଧିକ ସମୟ ହୋଇଯାଇଥିଲେ ବି ପ୍ରକୃତ ସତ ସାମ୍ନାକୁ ଆସିପାରୁ ନାହିଁ । ଅନ୍ୟପଟେ ସିବିଆଇ ଯେଉଁ ୩ ଜଣଙ୍କୁ ଗିରଫ କରି ପଚରାଉଚରା କରୁଥିଲା, ସେମାନଙ୍କ ରିମାଣ୍ଡ ଅବଧି ସରିଯାଇଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ସିବିଆଇ ଅଧିକ ରିମାଣ୍ଡ ପାଇଁ ଆବେଦନ କରିନାହିଁ । ଫଳରେ ତିନି ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜକୁ ପଠାଇ ଦିଯାଇଛି । ଏସବୁ ଭିତରେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ଷଡ଼ଯନ୍ତ୍ର ହୋଇଥିଲା କି ନାହିଁ, ଏସବୁ ପ୍ରଶ୍ନର ଉତ୍ତର କେବେ ମିଳିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisment
  • ସରିଲା ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି
  • କେବେ ବାହାରିବ ଦୁର୍ଘଟଣାର ସତ?

ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେରୁ ଅଧିକ ସମୟ ହୋଇଯାଇଥିଲେ ବି ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିପାରୁ ନାହିଁ । ଏପଟେ ଯେଉଁ ୩ ଅଭିଯୁକ୍ତଙ୍କୁ ଗିରଫ କରି ସିବିଆଇ ପଚରାଉଚରା ଜାରି ରଖିଥିଲା, ସେମାନଙ୍କ ରିମାଣ୍ଡ ଅବଧି ସରିଯାଇଛି । ରିମାଣ୍ଡ ସରିବା ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି ସିନିୟର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତି, ସେକ୍ସନ ଇଂଜିନିୟର ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଆନ ପପୁ କୁମାର । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ସିବିଆଇ ଅଧିକ ରିମାଣ୍ଡ ପାଇଁ ଆବେଦନ କରି ନାହିଁ । ଏବେ ୩ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଜୁଲାଇ ୨୭ରେ ସେମାନେ ପୁଣି କୋର୍ଟରେ ହାଜର ହେବ । ହେଲେ ସିବିଆଇ ଆଉ ରିମାଣ୍ଡ ପାଇଁ ଆବେଦନ ନକରିବା ଫଳରେ ତଦନ୍ତ ଆଗକୁ କେଉଁ ଆଡ଼କୁ ମୁହାଁଇବ ତାକୁ ନେଇ ପ୍ରଶ୍ନ ଉଠିଛି ।

  • ପ୍ରଶ୍ନ୧-କାହିଁକି ଅଧିକ ରିମାଣ୍ଡ ପାଇଁ ଆବେଦନ କଲାନି ସିବିଆଇ?
  • ପ୍ରଶ୍ନ-୨ କ’ଣ ଅଭିଯୁକ୍ତଙ୍କ ଠାରୁ ସବୁ ପ୍ରଶ୍ନର ଉତର ମିଳିଯାଇଛି?
  • ପ୍ରଶ୍ନ-୩ ଜେରା ବେଳେ କେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି?

ସିଗ୍ନାଲ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା ଏନେଇ ଚାଲିଛି ତଦନ୍ତ । ଷଡ଼ଯନ୍ତ୍ର କରାଯାଇଥିବା କଥା ମଧ୍ୟ ପ୍ରଶ୍ନ ଘେରକୁ ଆସିଥିଲା । ହେଲେ ଅଭିଯୁକ୍ତ ମହମ୍ମଦ ଅମିରଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ, ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ହୋଇଥିବାର କିଛି ପ୍ରମାଣ ନାହିଁ । ମହମ୍ମଦ ଅମୀର ମଧ୍ୟ କହିଛନ୍ତି, ଯାହା ନକ୍ସା ଦିଆଯାଇଥିଲା, ସେହି ଅନୁସାରେ ସେ କାମ କରିଛନ୍ତି ।

ଅନ୍ୟପଟେ ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି । ଖୁବଶୀଘ୍ର ହାଜର ହୋଇ ସେମାନେ ନିଜର ପକ୍ଷ ରଖିବେ । ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି ସିବିଆଇ ।