କରୋନାରୁ ଉପଶମ ଦେବ ନାଲି ପିମ୍ପୁଡିର ଆଚାର? ଏହାର ବ୍ୟବହାର ହେଉନାହିଁ ବୋଲି କୋର୍ଟରେ ହୋଇଥିଲା ମାମଲା । ତିନି ମାସ ଭିତରେ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ

221

କନକ ବ୍ୟୁରୋ : ଆଦିବାସୀ ଇଂଜିନିଅର ନୟାଧର ପଡିଆଲ ରୁଜୁ କରିଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଓଡିଶା ହାଇକୋର୍ଟ ଆୟୁଷ ମନ୍ତ୍ରାଳୟର ମହାନିର୍ଦ୍ଦେଶକଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା, ଛତିଶଗଡ ସମେତ ଅନ୍ୟରାଜ୍ୟର ଆଦିବାସୀ ବହୁଳ ଅଂଚଳରେ ନାଲି ପିମ୍ପୁଡି ବା କାଈ ଆଚାର ବା ଚଟଣୀକୁ ଔଷଧ ଭାବେ ବ୍ୟବହାର କରାଯାଏ ।

ଏସବୁ ଅଂଚଳରେ ଥଣ୍ଡା, କଫ, ହାଲିଆ ଲାଗିଲେ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା, ଫ୍ଲୁ ପରି ରୋଗର ଚିକିତ୍ସା ପାଇଁ ଏହି ଆଚାର ବା ଚଟଣୀର ଉପଯୋଗ ହୋଇଥାଏ । ତେଣୁ କରୋନାରୁ ଉପଶମ ପାଇଁ ଏହା ଉପରେ କାହିଁକି ଗବେଷଣା କରାଯାଉ ନାହିଁ ବୋଲି ଇଂଜିନିଅର ନୟାଧର ପଡିଆଲଙ୍କ କୋର୍ଟରେ ଆବେଦନ କରିଥିଲେ ।

ଓଡିଶା, ଛତିଶଗଡ, ଝାଡଖଣ୍ଡ ଆଦି ଅଂଚଳର ଜଙ୍ଗଲରେ ଦେଖାଯାଉଥିବା ଏହି କାଈକୁ ସଂଗ୍ରହ କରାଯାଇଥାଏ ଏବଂ କଂଚା ଲଙ୍କା ଓ ନାଲି ପିମ୍ପୁଡିକୁ ମିଶାଇ ଆଚାର ପ୍ରସ୍ତୁତ କରାଯାଇଥାଏ । ଏହି ଆଚାର ବା ଚଟଣୀକୁ ବିଭିନ୍ନ ରୋଗ ପାଇଁ ଆଦିବାସୀ ବ୍ୟବହାର କରିଥାନ୍ତି । ଏହାର କରୋନାରେ ପ୍ରୟୋଗ କରିବା ପାଇଁ ହାଇକୋର୍ଟରେ ନୟାଧର ଆବେଦନ କରିବା ପୂର୍ବରୁ ସିଆଇଏସଆରକୁ ଜୁନ ୨୩ ତାରିଖ ଏବଂ ଆୟୁଷ ମନ୍ତ୍ରାଳୟକୁ ଜୁଲାଇ ୭ ତାରିଖରେ କାଈ ଆଚାର ଉପକାରିତା ବିଷୟରେ ଲେଖିଜଣାଇଥିଲେ ।

ଏଥିରେ ସେ କାଈ ଆଚାର ବା ଚଟଣୀରେ ଭୂତାଣୁ ନିରୋଧୀ ଉପାଦାନ ଥିବାରୁ ଏହା ପାଚନ କ୍ରିୟାରେ ସହାୟକ ହୋଇଥାଏ ବୋଲି ଦାବି କରିଥିଲେ । ସେହିପରି ନାଲି ପିମ୍ୁୁଡି ବା କାଈର ଆଚାରରେ ପ୍ରୋଟିନ, କାଲସିୟମ ଓ ଜିଙ୍କ ରହିଥିବାରୁ ଏହା ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ବୋଲି ନିଜ ଦାବି ଆବେଦନରେ ନୟାଧର ଦର୍ଶାଇଛନ୍ତି ।

ଆଗତ ଜନସ୍ୱାର୍ଥ ମାମଲାର ବାଚାର କରିଥିଲେ ଜଷ୍ଟିସ ବିଆର ଷଡଙ୍ଗୀ ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ଖଣ୍ଡପୀଠ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ, ଆୟୁଷ ମନ୍ତ୍ରାଳୟ ଓ କାଉନସିଲ ଅଫ ସାଇନଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚକୁ ୩ ମାସ ଭିତରେ ଏନେଇ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ କାଈ ଆଚାର ଉପରେ କୌଣସି ମତ ନଦେଇ ଏସଂପର୍କରେ ଅଧିକ ତଥ୍ୟ ଦେବା ସହ ନିଷ୍ପତି ନେବାକୁ ଆୟୁଷ ମନ୍ତ୍ରାଳୟକୁ କହିଛନ୍ତି । ଅନ୍ୟପଟେ ଏଭଳି ଦାବି ପଛରେ କୌଣସି ବୈଜ୍ଞାନିକ ତଥ୍ୟ ନାହିଁ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ।