କନକ ବ୍ୟୁରୋ: ସ୍ମାର୍ଟ ସିଟି ରାଉରକେଲା । କେବେଠୁ ପୌରପାଳିକାରୁ ମହାନଗର ନିଗମର ମାନ୍ୟତା ପାଇସାରିଲାରି ଏ ସହର । ହେଲେ ଏଯାଏ ରାଉରକେଲା ମହାନଗର ନିଗମ ନିର୍ୱାଚନ ହୋଇ ପାରୁନି । ଏପରିକି ସହରବାସୀ ନିଜ ମନ ପସନ୍ଦର ମେୟର କି କର୍ପୋରେଟର ବାଛି ପାରୁନାହାନ୍ତି । ଯେଉଁଥି ପାଇଁ ସରକାରୀ ଅଧିକାରୀଙ୍କ ଏକଛତ୍ରବାଦ ଶାସନ ରାଉରକେଲା ସ୍ମାର୍ଟ ସିଟିରେ ଜାରି ରହିଛି ।
ଦଶନ୍ଧି ଧରି ଏ ପ୍ରଶ୍ନର ଉତ୍ତର ପାଇପାରୁନାହାନ୍ତି ଓଡ଼ିଶାର ଦ୍ୱିତୀୟ ସ୍ମାର୍ଟ ସିଟି ରାଉରକେଲା ସହରବାସୀ। ୧୦ ବର୍ଷ ହେଲା ରାଉରକେଲା ମହାନଗର ନିଗମର ନିର୍ବାଚନ ହୋଇପାରୁନି। ନିର୍ବାଚନ କରିବାକୁ ନେଇ ହାଇକୋର୍ଟରେ ଝୁଲି ରହିଛି ମାମଲା। ୨୦୨୧ରେ ନିର୍ବାଚନ କରିବାକୁ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ ବିଜେପି ନେତା। ପରେ ୨୦୨୨ ଡିସେମ୍ବର, ୭ ତାରିଖରେ ତତ୍କାଳୀନ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଆରଏମସିର କ୍ଷେତ୍ର ପୁନର୍ଗଠନ ବିରୋଧରେ ମାମଲା ଉଚ୍ଚ ନାୟାଳୟରେ ଥିବାରୁ ନିର୍ବାଚନ ସମ୍ଭବ ହୋଇପାରୁନଥିବା କୋର୍ଟରେ ପକ୍ଷ ରଖିଥିଲେ ତତ୍କାଳୀନ ରାଜ୍ୟ ସରକାର। ଆଉ ଏହି ଆଳରେ ଏପର୍ୟ୍ୟନ୍ତ ହୋଇପାରିନି ନିର୍ବାଚନ।
ନଭେମ୍ବର ୧୪, ୨୦୧୪ରେ ରାଉରକେଲା ପୌରପାଳିକା ମହାନଗର ନିଗମରେ ପରିଣତ ହେଲା। ତା’ ପୂର୍ବରୁ ୨୦୦୮ରେ ଶେଷଥର ପାଇଁ ରାଉରକେଲା ପୌରପାଳିକାର ନିର୍ବାଚନ ହୋଇଥିଲ।। ମୋଟ ୩୩ଟି ୱାର୍ଡକୁ ନେଇ ହୋଇଥିଲା ପୌରପାଳିକାର ଏହି ନିର୍ବାଚନ। ମହାନଗର ନିଗମ ହେବା ପରେ ସମସ୍ତ ୩୩ଟି ୱାର୍ଡ ସହ ଆଉ କିଛି ଅଞ୍ଚଳକୁ ମିଶାଇ ମୋଟ ୪୦ଟି ୱାର୍ଡକୁ ମହାନଗର ନିଗମରେ ସାମିଲ କରାଯଇଥିଲା। ତେବେ ଏହାକୁ ବିରୋଧ କରି ହାଇକୋର୍ଟରେ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିଥିଲେ ଝାଡତରଙ୍ଗ ଓ ଜଗଦା ପଞ୍ଚୟତବାସୀ। ହାଇକୋର୍ଟଙ୍କ ରହିତାଦେଶ ପରେ ନିର୍ବାଚନ ଉପରେ ରୋକ୍ ଲାଗିଥିଲା। ରହିତାଦେଶକୁ ଆଧାର କରି ସରକାର କାହିଁକି ନିର୍ବାଚନ କରାଉନାହାନ୍ତି ବୋଲି ଉଠୁଛି ପ୍ରଶ୍ନ । ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।