କନକ ବ୍ୟୁରୋ: ସବୁଠାରୁ ବଡ଼ କଥା ହେଉଛି ରତ୍ନଭଣ୍ଡାର ଖୋଲିବା ସମୟରେ ଦର୍ଶନ ବନ୍ଦ ହେବ ନାହିଁ ବୋଲି କମିଟି ଅଧ୍ୟକ୍ଷ କହିଛନ୍ତି। ୧୯ତାରିଖରେ ନିଳାଦ୍ରୀ ବିଜେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଜନ୍ମ ବେଦିରେ ଥିବାରୁ ଏବେ ହୁଏତ ରତ୍ନଭଣ୍ଡାର ଖୋଲିବା ଓ ଯାଂଚ କରିବାରେ କୌଣସି ସମସ୍ୟା ହୋଇନପାରେ। କିନ୍ତୁ ରତ୍ନବେଦୀକୁ ଶ୍ରୀଜିଉ ଫେରିଆସିବା ପରେ ଦର୍ଶନକୁ ଅବ୍ୟାହତ ରଖି ରତ୍ନ ଅଳଙ୍କାରର ଗଣତି ମଣତି କରିବାର ବଡ଼ ଆହ୍ବାନ ରହିଛି।

Advertisment

ଆଗାମୀ ୧୪ ତାରିଖରେ ଶ୍ରୀମନ୍ଦିର ଭିତରଭଣ୍ଡାର ଖୋଲିବାକୁ ଏସମ୍ପର୍କିତ କମିଟି ପ୍ରସ୍ତୁତ ହେଉଥିବାବେଳେ, ଭକ୍ତଙ୍କ ଦର୍ଶନ ବନ୍ଦ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି କମିଟି ଅଧ୍ୟକ୍ଷ । ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ହୁଏତ ଭକ୍ତଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡିପାରେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭଣ୍ଡାରଘରେ ଥିବା ରତ୍ନ ଅଳଙ୍କାରକୁ ସୁରକ୍ଷିତ ସ୍ଥାନାନ୍ତର କରିବା ପରେ ହିଁ ଏହାର ଯାଞ୍ଚ ଓ ମରାମତି କରା ଯାଇପାରିବ। ଏଥିପାଇଁ ଉପଯୁକ୍ତ ସ୍ଥାନ ଚୟନ ହୋଇଥିବା କମିଟି କହିଛି । କିନ୍ତୁ ଶ୍ରୀମନ୍ଦିରେ ଭିତରେ କେଉଁଠି ଉପଯୁକ୍ତ ସ୍ଥାନ ରହିଛି ସେନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର ।

ଶ୍ରୀମନ୍ଦିର ସେବାପୂଜା ସହ ଜଡିତ ସେବାୟତଙ୍କ ସୂଚନା ଆଧାରରେ ଆପଣଙ୍କୁ ରତ୍ନଭଣ୍ଡାରର ଏକ ପ୍ରତିକାତ୍ନକ ଚିତ୍ର ଦେଖାଉଛୁ। ଏ ହେଉଛି ଶ୍ରୀମନ୍ଦିରକୁ ପ୍ରବେଶ ଦ୍ୱାର । ଏହିବାଟେ ପ୍ରବେଶ କରିବା ପରେ ଭକ୍ତମାନେ ଶ୍ରୀଜୀଉଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରିଥାନ୍ତି । ବାହାରକାଠରେ ଛିଡା ହୋଇ ମହାପ୍ରଭୁଙ୍କ ଦର୍ଶନ କରନ୍ତି ଶ୍ରଦ୍ଧାଳୁ । ତେଣୁ ବାହାରକାଠ ପରେ ଓ ଭିତରକାଠ ମଝିରେ ଆପଣଙ୍କ ଡାହାଣପଟକୁ ରହିଛି ରତ୍ନଭଣ୍ଡାରକୁ ଯିବାପାଇଁ ରାସ୍ତା । ପ୍ରଥମେ ବାହାରଭଣ୍ଡାର ଓ ଏହାକୁ ଅତିକ୍ରମ କଲେ ଭିତରଭଣ୍ଡାରକୁ ପ୍ରବେଶ ସମ୍ଭବ ହେବ । ବାହାରକାଠରୁ ଦର୍ଶନବେଳେ ରତ୍ନଭଣ୍ଡାର କାମରେ କିଛି ସମସ୍ୟା ହୋଇନପାରେ । କିନ୍ତୁ ସାହାଣମେଲା ସମୟରେ ଭିତରଭଣ୍ଡାରୁ ଦର୍ଶନ ହେଉଥିବାରୁ ଯାଞ୍ଚ ଓ ମରାମତିରେ ସମସ୍ୟା ଉପୁଜିପାରେ ।

ଭଣ୍ଡାରଘରେ ଥିବା ରତ୍ନ ଅଲଙ୍କାରକୁ ବାହାର କରି ଏହାର ଯାଞ୍ଚ କରାଯିବ । ସେହିପରି ଯାଞ୍ଚ, ମରାମତି କିମ୍ବା ଗଣତି ମଣତି ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନରେ ଯେଭଳି ବ୍ୟାଘାତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ । ଆଇନମନ୍ତ୍ରୀ କହିଛନ୍ତି ରତ୍ନ ଅଳଙ୍କାର ଗଣତି ମଣତିର ଡିଜିଟାଲ ରେଫରେନ୍ସ ଡକ୍ୟୁମେଣ୍ଟ କରାଯିବ ।