କନକ ବ୍ୟୁରୋ: ସେ ଜଗତର ନାଥ । ତାଙ୍କ ଅନୁମତି ବିନା କେମିତି ଖୋଲିବ ତାଙ୍କ ରତ୍ନଭଣ୍ଡାର? କମିଟି ସଦସ୍ୟ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ପାଖରେ ଅଧିଆ ପଡି, ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ମାଗିଥିଲେ । ସେହିପରି ପ୍ରଭୁ ଲୋକନାଥଙ୍କ ଅନୁମତି ମଗାଯାଇ ଆଜ୍ଞାମାଳ ଅଣାଯାଇଥିଲା । ପାରମ୍ପରିକ ପୋଷାକରେ ଶ୍ରୀମନ୍ଦିର ଭିତରକୁ ପଶିଥିଲେ କମିଟି ସଦସ୍ୟ । ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କ ଆରାଧନା ପରେ ଆରମ୍ଭ ହୋଇଥିଲା ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ।

Advertisment

ରତ୍ନଭଣ୍ଡାରର ରକ୍ଷକ ମହାପ୍ରଭୁ ଲୋକନାଥ । ତେଣୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ସକାଳୁ ସକାଳୁ ସେବାୟତଙ୍କ ଦ୍ୱାରା ଲୋକନାଥ ମନ୍ଦିରରେ ପୂଜାର୍ଚ୍ଚନା ସାଙ୍ଗକୁ ମହାରୁଦ୍ରାଭିଷେକ କରାଯାଇଥିଲା । ବିନା ଲୋକନାଥଙ୍କ ଅନୁମତିରେ ରତ୍ନଭଣ୍ଡାର ଖୋଲିହେବ ନାହିଁ । ତେଣୁ ପ୍ରଭୁ ଲୋକନାଥଙ୍କ ଅନୁମତି ମଗାଯାଇ ଆଜ୍ଞାମାଳ ଅଣାଯାଇଥିଲା । ଆଉ ସେବାୟତ ଆଜ୍ଞାମାଳ ଧରି ଶ୍ରୀମନ୍ଦିରେ ଅଭିମୁଖେ ଆସିଥିଲେ । ଏହାପୂର୍ବରୁ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ପାଖରେ ଅଧିଆ ପଡି, ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ମାଗିଥିଲେ ।

ରତ୍ନଭଣ୍ଡାରରେ ପ୍ରବେଶ କରିବା ପୂର୍ବରୁ ପୂର୍ବାହ୍ନ ୧୦ଟାରେ ବସିଥିଲା ପରିଚାଳନା କମିଟି ବୈଠକ । ଆଉ ମାର୍ଗଦର୍ଶିକା ଅନୁସାରେ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ପାଂଜି ଦେଖି ଦିନ ୧ଟା ୨୮ ମିନିଟ୍ ଶୁଭ ମୁହୁର୍ତ୍ତ ବାହାର କରାଯାଇଥିଲା । କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ପ୍ରାୟ ୧୨ଟା ୫ ସୁଦ୍ଧା ୧୫ ଜଣିଆ ଟିମ୍ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏହାପରେ ମାଆ ବିମଳା ଓ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇଥିଲେ । ପାରମ୍ପରିକ ପୋଷାକ ପରିଧାନ କରି ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଥିଲେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ଡାକ୍ତର ସିବିକେ ମହାନ୍ତି, ଜିଲ୍ଲପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୫ ଜଣ ସଦସ୍ୟ । ସାଙ୍ଗରେ ଓଡ୍ରାଫ ଟିମ୍ ସହିତ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ମଧ୍ୟ ଥିଲେ। ସାଙ୍ଗରେ ଚାବି ଭାଙ୍ଗିବା ପାଇଁ କଟର ନିଆଯାଇଥିଲା ।

ଏହି ସମୟରେ ଶ୍ରୀମନ୍ଦିରକୁ ଏକ ଟ୍ରକ ଯୋଗେ ୬ଟି ସିନ୍ଦୁକ ଆସିଥିଲା । ବାକି ୯ ସିନ୍ଦୁକ ଖୁବ୍ ଶୀଘ୍ର ଆସିବ। ଏଥିପାଇଁ ୩ ଦିନ ପୂର୍ବରୁ ବରାଦ ଦିଆଯାଇଥିଲା । ସ୍ୱତନ୍ତ୍ର ଭାବେ ସିନ୍ଦୁକଗୁଡିକ ପ୍ରସ୍ତୁତ ହୋଇଛି । ଶାଗୁଆନ କାଠରେ ତିଆରି ହୋଇଛି । ବାହାରେ ଏବଂ ଭିତରେ ପିତଳର ଆସ୍ତରଣ ଦିଆଯାଇଛି । ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ଏଗୁଡିକ ରଖାଯାଇଛି । ରତ୍ନଭଣ୍ଡାରରୁ ସୁନାରୂପା ଅଳଙ୍କାର ଆଣି ଏହି ସିନ୍ଦୁକରେ ରଖାଯାଇଛି । ଏ ସିନ୍ଦୁକର ବି କେଡେ ଭାଗ୍ୟ।ସେ ମହାପ୍ରଭୁଙ୍କ ମହଣମହଣ ଆଳି ଅଳଙ୍କାରକୁ ନିଜ ଭିତରେ ସାଇତି ରଖିବ । ଏହାକୁ ପ୍ରସ୍ତୁତ କରିଥିବା କାରିଗର ମଧ୍ୟ ଖୁସି ପ୍ରକାଶ କରିଛନ୍ତି । ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ଧନ୍ୟ ମନେ କରିଛନ୍ତି ।