କନକ ବ୍ୟୁରୋ: ଚଳିତ ମାସ ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର । ଏନେଇ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ନିଷ୍ପତ୍ତି ହେଇଛି । ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି, ଯେକୌଣସି ଉପାୟରେ ହେଉ ନା କାହିଁକି ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ । ଚାବିରେ ରତ୍ନଭଣ୍ଡାର ନଖୋଲିଲେ ବି, ରତ୍ନଭଣ୍ଡାର ଖୋଲିବ ବୋଲି ସେ କହିଛନ୍ତି । ଏନେଇ ସରକାରଙ୍କ ଅନୁମତିକୁ ଅପେକ୍ଷା ବୋଲି ସେ କହିଛନ୍ତି ।

Advertisment

ସେ କହିଛନ୍ତି, ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ନେଇ ଅନୁରୋଧ କରାଯାଉଛି । ସରକାର ଯାହା ନିଷ୍ପତ୍ତି ନେବେ, ସେହି ଅନୁସାରେ କାମ ହେବ । ରତ୍ନଭଣ୍ଡାର ଖୋଲିଲେ ଏହାର ମରାମତି ସହିତ ଗଣତି ମଣତି ହେଇପାରେ ବୋଲି ସେ ସୂଚନା ଦେଇଛନ୍ତି । ଏଥିସହ ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ପ୍ରସ୍ତୁତ ହେବ ଆଉ ସେହି ଏସଓପି ଅନୁସାରେ ରତ୍ନଭଣ୍ଡାର ଖୋଲାଯାଇପାରିବ ।

ସୂଚନାଯୋଗ୍ୟ ଯେ, ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ରତ୍ନଭଣ୍ଡାର କମିଟିର ବୈଠକ ବସିଥିଲା । ଏହି ବୈଠକ ଶେଷ ହେବା ପରେ ଏପରି ସୂଚନା ଦିଆଯାଇଛି । ତେବେ  ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶନିବାର ହୋଇଥିଲା। ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ୧୬ ଜଣିଆ କମିଟି ବିସ୍ତୃତ ଆଲୋଚନା କରିଥିଲେ।