ସରିଲା ରାଜ୍ୟସଭା ନିର୍ବାଚନ। ମହାରାଷ୍ଟ୍ର, ହରିଆଣାରେ ବିଜେପି ମାରିଲା ବାଜି। କଂଗ୍ରେସକୁ ଚେକ ଦେଲେ ଦଳୀୟ ବିଧାୟକ।

95

କନକ ବ୍ୟୁରୋ: ରାଜ୍ୟସଭାର ୫୭ଟି ଆସନ ପାଇଁ ଭିନ୍ନ ଭିନ୍ନ ରାଜନୈତିକ ଦଳର ଦକ୍ଷ ନେତା ଚର୍ଚ୍ଚାରେ ରହିଛନ୍ତି । ୧୦ ଜୁନ୍ରେ ନିର୍ବାଚନ ହୋଇଥିବାବେଳେ ଏହା ପୂର୍ବରୁ ଅଧିକାଂଶ ଆସନ ପାଇଁ ପ୍ରାର୍ଥୀଙ୍କୁ ସାଂସଦଭାବେ ବଛା ସରିଛି । ପୂର୍ବରୁ ବିନା କୌଣସି ବିରୋଧରେ ୪୧ଟି ଆସନ ପାଇଁ ସାଂସଦଙ୍କ ନାମ ଘୋଷଣା ହୋଇସାରିଛି । ଏହି ଆସନ ପାଇଁ କୌଣସି ବିବାଦ ନଥିଲା । ଆଉ ପ୍ରାର୍ଥୀଙ୍କ ଚୟନ ଏକ ପ୍ରକାର ଧାର୍ଯ୍ୟ ରହିଥିଲା । ଫଳରେ ୧୦ ଜୁନ ନିର୍ବାଚନ ପୂର୍ବରୁ ଏହି ଆସନ ପାଇଁ ସାଂସଦଙ୍କ ନାମ ଘୋଷଣା କରାଯାଇଛି । ଆରଜେଡିର ମିସା ଭାରତୀ, କଂଗ୍ରେସର ରାଜୀବ ଶୁକ୍ଳା ଓ ପି. ଚିଦାମ୍ବରମ୍, ବିଜେପିର କବିତା ପାଟିଦାର ଓ ସୁମିତ୍ରା ବାଲ୍ମିକୀ, ଆରଏଲଡିର ଜୟନ୍ତ ଚୌଧୁରୀ, ସମାଜବାଦୀ ପାର୍ଟିର କପିଲ ଶିବଲ । ଏମାନେ ସେହି ଚର୍ଚ୍ଚିତ ଚେହେରା ଯାହାଙ୍କ ନାମ ରାଜ୍ୟସଭା ସାଂସଦ ଭାବେ ଘୋଷଣା କରାଯାଇଛି । ସେପଟେ ରାଜ୍ୟସଭା ପାଇଁ ନିର୍ବିରୋଧ ଭାବେ ନିର୍ବାଚିତ ହୋଇଥିବା ୪୧ଟି ସାଂସଦଙ୍କ ତାଲିକା ଯଦି ରାଜ୍ୟ ଅନୁସାରେ ଦେଖିବା ତାହାଲେ, ଏମାନଙ୍କ ମଧ୍ୟରେ
– ଉତର ପ୍ରଦେଶର ସମସ୍ତ ୧୧ଟି ଆସନ ପାଇଁ ସାଂସଦ ବିନା କୌଣସି ବିରୋଧରେ ନିର୍ବାଚିତ ହୋଇଛନ୍ତି
– ତାମିଲନାଡୁର ୬ଟି ଆସନ ପାଇଁ ସାଂସଦ ନିର୍ବାଚିତ
– ବିହାରର ୫ଟି ଆସନ ଓ ଆନ୍ଧ୍ରପ୍ରଦେଶର ୪ଟି ଆସନ ପାଇଁ ସାଂସଦ ନିର୍ବାଚିତ
– ଓଡିଶା ୩ ସାଂସଦ ଓ ମଧ୍ୟପ୍ରଦେଶର ୩ ସାଂସଦ ନିର୍ବାଚିତ
– ଝାରଖଣ୍ଡ, ତେଲେଙ୍ଗାନା ଓ ପଂଜାବରେ ଦୁଇଟି ଲେଖାଏଁ ଆସନ ପାଇଁ ସାଂସଦ ନିର୍ବାଚିତ
– ଉତ୍ତରାଖଣ୍ଡର ଗୋଟିଏ ଆସନ ପାଇଁ ବିନା କୌଣସି ବିରୋଧରେ ସାଂସଦ ନିର୍ବାଚିତ ହୋଇଛନ୍ତି

ଯଦି ସମସ୍ତ ନିର୍ବାଚିତ ଆସନ ଉପରେ ନଜର ପକାଇବା ତାହାଲେ ଏଥିରେ ସର୍ବାଧିକ ୧୪ଜଣ ପ୍ରାର୍ଥୀ ବିଜେପିର ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଓ ୱାଇଏସଆର କଂଗ୍ରେସର ୪ ଜଣ ଲେଖାଏଁ ପ୍ରାର୍ଥୀ, ତିନି ଜଣ ଲେଖାଏଁ ପ୍ରାର୍ଥୀ ବିଜେଡି ଓ ଡିଏମକେର ରହିଛନ୍ତି । ସେହିପରି ଟିଆରଏସ, ଅନ୍ନାଦ୍ରୁମୁଖ ଏବଂ ଆମ ଆଦମୀ ପାର୍ଟିର ୨ଜଣ ପ୍ରାର୍ଥୀ ରହିଥିବାବେଳେ ସମାଜବାଦୀ ପାର୍ଟି, ଆରଏଲଡି, ଜେଏମଏମ ଏବଂ ଜଣେ ନିର୍ଦଳୀୟ ପ୍ରାର୍ଥୀ ବିନା କୌଣସି ବିରୋଧରେ ସାଂସଦ ଭାବେ ବଛା ହୋଇଛନ୍ତି ।

ଦେଶର ୧୫ଟି ରାଜ୍ୟର ମୋଟ ୫୭ଟି ଆସନ ଖାଲି ହେଉଛି । ୧୦ ଜୁନ୍ ଶୁକ୍ରବାର ଏହି ଆସନ ପାଇଁ ନିର୍ବାଚନ ଶେଷ ହୋଇଛି । ତେବେ ହରିୟାଣା, ରାଜସ୍ଥାନ ଓ ମହାରାଷ୍ଟ୍ରରେ ରାଜ୍ୟସଭା ନିର୍ବାଚନକୁ ନେଇ ଦେଖିବାକୁ ମିଳିଛି ଜବରଦସ୍ତ ହଙ୍ଗାମା । ଶୁକ୍ରବାର ୪ଟି ରାଜ୍ୟର ୧୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି । ମହାରାଷ୍ଟ୍ରର ୬ଟି ଆସନ, ରାଜସ୍ଥାନର ୪ଟି ଆସନ, କର୍ଣ୍ଣାଟକର ୪ଟି ଏବଂ ହରିୟାଣାର ୨ଟି ଆସନ ପାଇଁ ନିର୍ବାଚନ ହୋଇଛି । ଆଉ ଫଳାଫଳ ପୂର୍ବରୁ ହରିଆଣା ଓ ମହାରାଷ୍ଟ୍ରରେ ଜବରଦସ୍ତ ହଙ୍ଗାମା ଦେଖିବାକୁ ମିଳିଛି ।