ମୋଦୀ ସରକାରଙ୍କ ଘୋଷଣା: ବଦଳିବ ରାଜପଥର ନାଁ, ହେବ ‘କର୍ତ୍ତବ୍ୟ ପଥ‘

267

କନକ ବ୍ୟୁରୋ: ମୋଦୀ ସରକାର ବଡ ପଦକ୍ଷେପ ନେଇ ଦିଲ୍ଲୀ ରାଜପଥର ନାଁ ବଦଳାଇବାକୁ ଘୋଷଣା କରିଛନ୍ତି । ଏବେଠୁ ରାଜପଥର ନାଁ କର୍ତ୍ତବ୍ୟ ପଥ ହୋଇଯିବ । ସେପ୍ଟେମ୍ବର ୭ ତାରିଖରେ ଏନଡିଏମସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଅଛି ସେହି ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିବ ।

ନୌସେନାର ପତାକାରେ ଥିବା କିଙ୍ଗସ କ୍ରସ୍ ହଟାଇବାର କିଛି ଦିନ ପରେ ହିଁ ବିଜେପି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବିଜେପି ନିୟନ୍ତ୍ରଣରେ ଥିବା ନୂଆଦିଲ୍ଲୀ ମୁନିସପାଲ କାଉନସିଲ (ଏନଡିଏମସି) ବୈଠକରେ ଏ ନେଇ ଏକ ପ୍ରସ୍ତାବ ଆଗତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତାବ ଆଗତ କରିବାକୁ ଆସନ୍ତା ୭ ତାରିଖରେ ଏକ ସ୍ବତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି ।

ରାଜପଥର ନାମକରଣ କିପରି ହେଲା ?

ରାଜପଥକୁ ବ୍ରିଟିଶ ସରକାର ସମ୍ରାଟ ୫ମ ଜର୍ଜଙ୍କ ସମ୍ମାନରେ ନାମିତ କରାଯାଇଥିଲା । ଏହାର ମୂଳ ନାମ ଥିଲା କିଙ୍ଗସ ଓ୍ବେ, ଯାହାର ଅନୁବାଦ ହେବ ‘ରାଜପଥ’ । ୧୯୧୧ରେ ବ୍ରିଟିଶ ସରକାର ନୂଆଦିଲ୍ଲୀକୁ ବ୍ରିଟିଶ ଭାରତର ରାଜଧାନୀ କରିବା ପରେ ୫ମ ଜର୍ଜ ଭାରତ ଆସିଥିଲେ । ତାଙ୍କ ସମ୍ମାନରେ ଏହି ରାସ୍ତାର ଏପରି ନାମକରଣ ହୋଇଥିଲା । ସ୍ବାଧୀନତା ପରେ କିଙ୍ଗସଓ୍ବେର ନାମକୁ ଅନୁବାଦ କରି ରାଜପଥ କରାଗଲା । ଏବେ ମୋଦୀ ସରକାର ଏହାର ନାମକୁ ବଦଳେଇ ‘କର୍ତ୍ତବ୍ୟ ପଥ’ କରିବାକୁ ନିଷ୍ପତ୍ତି ନେଇଛନ୍ତି ।