କନକ ବ୍ୟୁରୋ : ନବରଙ୍ଗପୁରରେ ଲଘୁଚାପ ଜନିତ ଲଗାଣ ବର୍ଷା ଉଜାଡିଦେଇଛି ମକା ଫସଲ । ହଠାତ୍ ବର୍ଷା ପବନ ମାଡି ଆସିବା ପରେ ଏବେ କ୍ଷେତରେ ମୁହଁ ମାଡି ପଡିଛି ଲକ୍ଷ ଲକ୍ଷ ଟଙ୍କାର ମକା ଫସଲ । ସୁବ ଗଛ ପୁରା ଭାଙ୍ଗି ଯାଇଛି । ପାଣି ମାଡ ଖାଇବା ପରେ ଅମଳ ଆଗରୁ ମକା ପୁରା ନଷ୍ଟ ହୋଇଯାଇଛି । ଉମରକୋଟ୍ ବ୍ଲକ ତହରା ପଂଚାୟତ ସେମଳଧରା ଅଂଚଳରେ ଏକର ଏକର ମକା ଫସଲ କ୍ଷତିଗ୍ରସ୍ତ ହୋଇଛି । ଚାଷୀ ଋଣ କରି ଏଥର ଚାଷ କରିଥିଲେ । ଏବେ ଲଘୁଚାପ ବର୍ଷାରେ ଏପରି ମକା ଫସଲ ନଷ୍ଟ ହେବା ପରେ , କିପରି ଋଣ ସୁଝିବେ, କରୋନା କାଳରେ ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ।
ଏଥର ମକା ପ୍ରାୟ ଅମଳ ଅପେକ୍ଷାରେ ରହିଥିଲା । ଏତିକି ବେଳେ ପ୍ରକୃତି ସାଧିଛି ଦାଉ । ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ । ସେପଟେ କୃଷି ଅଧିକାରୀ କହିଛନ୍ତି ଯେଉଁ ଚାଷୀ କୃଷି ବୀମା କରିଥିବେ ସେମାନେ ପାଇବେ କ୍ଷତିପୂରଣ ।