ପାରାଦୀପ ଠାରୁ ୧୮୦କିମି ଦୂରରେ ଅବପାତ ସକ୍ରିୟ : ୨୪ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ ; ୨ଟି ବନ୍ଦରକୁ ୩ନଂ ବିପଦ ସଙ୍କେତ

821

କନକ ବ୍ୟୁରୋ : ଓଡିଶାର ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଉତ୍ତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଅବପାତ ଏବେ ପାରାଦୀପ ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ୧୮୦ କିମି ଦୂରରେ ସକ୍ରିୟ ରହିଛି । ଏହା ପଶ୍ଚିମବଙ୍ଗ ସାଗର ଦୀପ ପୁଞ୍ଜ ଠାରୁ ଦକ୍ଷିଣ , ଦକ୍ଷିଣ-ପୂର୍ବ ଦିଗରେ ୩୫୦ କିମି ଏବଂ ବାଂଲାଦେଶର ଖେପୁପୁର ଠାରୁ ଦକ୍ଷିଣ , ଦକ୍ଷିଣ-ପୂର୍ବ ଦିଗରେ ୪୯୦ କିମି ଦୂରରେ ରହିଛି ।

ଏହା ଆଗାମୀ ୨୪ ଘଂଟାରେ ଆହୁରି ସକ୍ରିୟ ହୋଇ ଗଭୀର ଅବପାତର ରୂପ ନେବ । ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରି ଆସନ୍ତାକାଲି ଅପରାହ୍ନ ସମୟରେ ସାଗର ଦ୍ୱୀପପୁଞ୍ଜ ଏବଂ ବାଂଲାଦେଶର ଖେପୁପୁରା ଠାରେ ଉପକୂଳକୁ ଅତିକ୍ରମ କରିବା ସଂଭାବନା ରହିଛି । ଲଘୁଚାପ ପ୍ରଭାବରୁ ଏବେ ଉପକୂଳ ଓଡିଶାରେ ବର୍ଷା ଲାଗିଛି ।

ଆସନ୍ତାକାଲି ଦକ୍ଷିଣ ଓଡିଶାରେ ଅଧିକ ବର୍ଷାର ପ୍ରଭାବ ରହିବ । ସଂଭାବ୍ୟ ଅବପାତ ଏବଂ ପବନର ବେଗକୁ ଦେଖି ଓଡିଶାର ଗୋପାଳପୁର ଏବଂ ପୁରୀ ବନ୍ଦରକୁ ୩ନଂ ବିପଦ ସଂକେତ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।