କନକ ବ୍ୟୁରୋ : ଲଘୁଚାପର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ କ୍ଷେତ୍ର । ପ୍ରଭାବରେ ସପ୍ତାହେ ଯାକ ଲାଗି ରହିବ ବର୍ଷା । ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷାର ପରିମାଣ । ବାହୁଡାରେ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ୧୪ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୧୫ ତାରିଖରେ ଲଘୁଚାପରେ ପରିଣତ ହେବା ସହିତ ଅଧିକ ବଳ ଗୋଟାଇ ଅବପାତରେ ପରିଣତ ହେବ । ୨୦ ତାରିଖରେ ଏହା ଓଡ଼ିଶା ଉପକୂଳ ଦେଇ ଗତି କରିବ । ପ୍ରଭାବରେ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି ।

Advertisment

ପାଣିପାଗ ବିଭାଗର ଆଳକନ ଅନୁଯାୟୀ ଆଜି ମଧ୍ୟ ଉତ୍ତର ଏବଂ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ରାୟଗଡ଼ାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼ ଇତ୍ୟାଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ବାହୁଡ଼ା ଅର୍ଥାତ ୧୫ ତାରିଖ ଦିନ କନ୍ଧମାଳ, ଗଞ୍ଜାମ, ଗଜପତି ସମେତ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।