କନକବ୍ୟୁରୋ: ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମୋଟ୍ ୮ଟି ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଛି। ଏହି ପ୍ରକଳ୍ପର ମୂଲ୍ୟ ୨୪,୬୫୭ କୋଟି ରହିଛି ।ଯେଉଁଥିରେ ଓଡିଶାର ଗୁଣୁପୁର-ଥିରୁବାଲି ୭୩ କିଲୋମିଟର, ଜୁନାଗଡ-ନବରଙ୍ଗପୁର ୧୧୬ କି.ମି,ବାଦାମପାହାଡ-କେନ୍ଦୁଝରଗଡ ୮୨.୬ କିଲୋମିଟର, ବାଙ୍ଗିରିପୋଷୀ-ଗୋରୁ ମୋହିଷାଣି ୮୫.୬୦ କି.ମି, ମାଲକାନଗିରି-ଭଦ୍ରାଚଲମ ୧୭୩.୬୧ କି.ମି ଆଦି ନୂଆ ରେଳ ଲାଇନ୍ ହେବ ବୋଲି ଜଣାପଡ଼ିଛି ।

Advertisment

୨୦୩୦-୨୦୩୧ ସୁଦ୍ଧା ଶେଷ ହେବାକୁ ଥିବା ଏହି ନୂତନ ଲାଇନ୍ ପ୍ରକଳ୍ପଗୁଡ଼ିକ ନିର୍ମାଣ କାଳରେ ପ୍ରାୟ ୩ କୋଟି ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ। ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଭଳି ୭ଟି ରାଜ୍ୟର ୧୪ଟି ଜିଲ୍ଲାକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କ ୯୦୦ କିଲୋମିଟର ବୃଦ୍ଧି ପାଇବ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୬୪ଟି ନୂଆ ଷ୍ଟେସନ ନିର୍ମାଣ କରାଯିବ। ଏହା ଦ୍ୱାରା ୬ଟି ଆକାଂକ୍ଷୀ ଜିଲ୍ଲା- ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ପୂର୍ବ ସିଂହଭୂମ, ଭଦାଦ୍ରି କୋଠାଗୁଡେମର ପାଖାପାଖି ୫୧୦ଟି ଗାଁ ଏବଂ ପ୍ରାୟ ୪୦ ଲକ୍ଷ ଜନସଂଖ୍ୟାକୁ ଯୋଗାଯୋଗ ବୃଦ୍ଧି ପାଇବ।