କନକ ବ୍ୟୁରୋ : ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା ଉପରୁ ହଟିଛି ପରଦା । ପରକୀୟା ପ୍ରୀତି ସର୍ମ୍ପକ ଜାଣିଥିବାରୁ ମମିତାଙ୍କୁ ମହାଲିଙ୍ଗ ସନସାଇନ କଲେଜର ଅଧ୍ୟକ୍ଷ ଗୋବିନ୍ଦ ସାହୁ ହତ୍ୟା କରିଥିବା ନେଇ ସ୍ପଷ୍ଟ କରିଛି ପୋଲିସ । ଆଉ ଏହାସହ ମମିତା ହତ୍ୟାକାଣ୍ଡରେ ଆଉ ଏକ ଦିଗ ସାମ୍ନାକୁ ଆସିଛି, ‘ପରକୀୟା ପ୍ରୀତି ଥିଓରୀ’ । ତେବେ ବାସ୍ତବରେ ପୋଲିସ ଆଣିଥିବା ପରକୀୟା ପ୍ରୀତି ଥିଓରୀ କାହାକୁ ବଞ୍ଚାଇବା ପାଇଁ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି । ପୋଲିସର ପରକୀୟା ପ୍ରୀତି ଥିଓରୀ ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ନୁହେଁ ତ? ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଯେତେବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସମ୍ପୃକ୍ତି କଣ ରହିଛି ବୋଲି ପ୍ରଶ୍ନ ପଚରାଗଲା ସେତେବେଳେ ଏହାକୁ ଏଡାଇ ଯାଇଥିଲେ ଉତ୍ତରାଞ୍ଚଳ ଡିଆଇଜି ।
ଗୋବିନ୍ଦଙ୍କର ପରକୀୟା ପ୍ରୀତି ସମ୍ପର୍କ ବାବଦରେ ମମିତା ଜାଣିଥିବା କହୁଛି ପୋଲିସ । କିନ୍ତୁ କାହା ସହ ପରକୀୟା ପ୍ରୀତି ସମ୍ପର୍କ ରହିଛି ତାହା ସ୍ପଷ୍ଟ କରୁନି କି ଏ ବାବଦରେ କଣ ତଦନ୍ତ ହେଉଛି ତାହା ଜଣାଇନାହିଁ ପୋଲିସ । ଯାହା ପୋଲିସର ପରକୀୟା ପ୍ରୀତି ଥିଓରୀ ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି । ପୁଲିସକୁ ପରକୀୟା ପ୍ରୀତି ନେଇ ଆବଶ୍ୟକ ପ୍ରମାଣ ମିଳିଛି ତ? ଗୋବିନ୍ଦଙ୍କ ସନସାଇନ ସ୍କୁଲରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ପରେ ବି ପୁଲିସ ନିରବ କାହିଁକି? କୁହାଯାଉଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ନେଇ ଯେଉଁ ଅଭିଯୋଗ ରହିଛି ତାହା ଉପରେ ପରଦା ଢାଙ୍କିବାକୁ ଏଭଳି ପରକୀୟା ପ୍ରୀତି ଥିଓରୀ ସାମ୍ନାକୁ ଆଣିଛି ପୋଲିସ । କାରଣ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଅତି ଘନିଷ୍ଠ ହେଉଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ଏପରିକି ଗୋବିନ୍ଦ ସାହୁଙ୍କ ଯେଉଁ କଲେଜରେ ମମିତା ଅଧ୍ୟକ୍ଷା ଥିଲେ ସେଠାକୁ ଅନେକଥର ଯାଇଛନ୍ତି ମନ୍ତ୍ରୀ ଦିବଶଙ୍କର । ଏପରିକି ଗୋବିନ୍ଦଙ୍କ ମହାଲିଙ୍ଗ କଲେଜକୁ ତାଙ୍କ ଜୀବନ ଠାରୁ ବି ଅଧିକ ଭଲ ପାଉଥିବା ନେଇ ସାଥୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କହିଥିଲେ ଦିବ୍ୟଶଙ୍କର ।
ଅନ୍ୟପଟେ ଗୋବିନ୍ଦ ସାହୁଙ୍କ କଲେଜରେ ଅନୈତିକ କାର୍ଯ୍ୟକଳାପ ଚାଲେ ଓ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଏଠାକୁ ଆସନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଆଉ ଦିବ୍ୟଶଙ୍କର ବାରମ୍ବାର ଏଠାକୁ ଆସୁଥିବାରୁ ତାଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏପରିକି ଦିବ୍ୟଶଙ୍କର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ଯେତେବେଳେ ବିରୋଧୀ ଦିବ୍ୟଶଙ୍କରଙ୍କୁ ଘେରିଲେ, ଇସ୍ତଫା ଦାବି କଲେ ଓ କୁଶପୁତ୍ତଳିକା ଦାହ କଲେ ସେତେବେଳେ ବୋଧହୁଏ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଏଭଳି ପରକୀୟା ଥିଓରୀ ପୋଲିସ ଆଣିଥିବା ଚର୍ଚ୍ଚା ହେଉଛି ।
କାରଣ ମମିତାଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ପୂରା ରାଜ୍ୟରେ ତୁମ୍ବି ତୋଫାନ ହେଉଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କର ଏଯାଏଁ ମୌନ ରହିଛନ୍ତି । ମମିତା ନିଖୋଜ ହେବା, ଗୋବିନ୍ଦ ସାହୁଙ୍କୁ ପୋଲିସ ଉଠାଇ ଆଣିବା, ଗୋବିନ୍ଦ ସାହୁ ଫେରାର ହେବା, ଷ୍ଟାଡିୟମରୁ ମମିତାଙ୍କ ମୃତଦେହ ମିଳିବା, ଗୋବିନ୍ଦ ଗିରଫ ହେବା ପରେ ମଧ୍ୟ ଏଯାଏଁ ଚୁପ୍ ରହିଛନ୍ତି ଦିବ୍ୟଶଙ୍କର । ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଥିବା ସତ୍ତେ୍ୱ ମଧ୍ୟ ଏଯାଏଁ ପଦିଏ ସ୍ପଷ୍ଟୀକରଣ ଦେଇନାହାନ୍ତି ଦିବ୍ୟଶଙ୍କର । ବିରୋଧୀ ସାଂଘାତିକ ଅଭିଯୋଗ ଆଣୁଥିଲେ ମଧ୍ୟ ଦିବ୍ୟଶଙ୍କର ଯେପରି କେଉଁଆଡେ ଉଭାନ ହୋଇଯାଇଛନ୍ତି । ଏପରିକି ଦିବ୍ୟଶଙ୍କରଙ୍କ ପ୍ରସଙ୍ଗରେ କିମ୍ବା ରାଜନୈତିକ ଲିଙ୍କ୍ ନେଇ ପଚାରିବାରୁ କେବଳ ଅଭିଯୋଗ ଆଧାରରେ ତଦନ୍ତ ହେଉଛି ବୋଲି କହିଛି ପୋଲିସ । ଯାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏତେ ବଡ ହତ୍ୟାକାଣ୍ଡ ହେବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଅନ୍ୟ ଦିଗ ଉପରେ ତଦନ୍ତ କରିବାରେ ଅସୁବିଧା କେଉଁଠି? ନା ଅନ୍ୟ ଦିଗରେ ତଦନ୍ତ ଆଗକୁ ବଢିଲେ କେଉଁ ପ୍ରଭାବଶାଳୀଙ୍କ ନାଁ ଆସିଯିବ ସେହି ଭୟ ଘାରିଛି କି ପୋଲିସକୁ ? ଯଦି ନା ତେବେ ପରିବାର ପକ୍ଷରୁ ଦାୟର କରାଯାଇଥିବା ଅଭିଯୋଗକୁ ଛାଡି ଅନ୍ୟ ଦିଗରେ ତଦନ୍ତ କେବେ କରିବ ପୋଲିସ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/1-37.jpg)