ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା ନେଇ ଚର୍ଚ୍ଚା । ଉଠିଲା ପ୍ରଶ୍ନ,  ବିନା ମୁଖିଆରେ କେମିତି ଆଗକୁ ବଢ଼ିବ ରାଜ୍ୟ କଂଗ୍ରେସ?

196

କନକ ବ୍ୟୁରୋ: ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର ଧରୁଥିବା ବେଳେ ପୁଣିଥରେ ରାଜ୍ୟ କଂଗ୍ରେସ, ମୁରବୀ ବିହୀନ ହେବା ଭଳି ସ୍ଥିତି ଉପୁଜିଛି । ଅନ୍ୟପଟେ କିଛି ଅସନ୍ତୁଷ୍ଟ ନେତା, ନେତୃତ୍ୱ ପରିବର୍ତ୍ତନ ପାଇଁ ହାଇକମାଣ୍ଡଙ୍କ ନିକଟରେ ଲବି ସିନା କରୁଛନ୍ତି, ହେଲେ ପରବର୍ତ୍ତୀ ପିସିସି ମୁଖ୍ୟ କିଏ ହେବ,ସେ ନେଇ କାହା ପାଖରେ କିଛି ଖବର ନାହିଁ । କିନ୍ତୁ ପରସ୍ପର ଭିତରେ ଚାଲିଛି ଗୋଡ ଟଣାଟଣି ।

ତେବେ ଯେଉଁସବୁ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି କିମ୍ବା ଯେଉଁମାନେ ପିସିସି ମୁଖ୍ୟ ହେବାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଲବି କରୁଛନ୍ତି । ସେମାନଙ୍କ ଠାରେ କେତେ ସାଙ୍ଗଠନିକ ଦକ୍ଷତା ରହିଛି, ତାହା ଉପରେ ମଧ୍ୟ କଂଗ୍ରେସ କର୍ମୀଙ୍କ ମନରେ ସନ୍ଦେହ ରହିଛି । ସବୁ ନେତାଙ୍କୁ ଏକାଠି କରି ଦଳକୁ ଆଗକୁ ନେବା ଭଳି ଦକ୍ଷତା ମଧ୍ୟ ନଜରକୁ ଆସିନାହିଁ । ଏହି ନେତାମାନଙ୍କ ବିରୋଧରେ ବି ଅନେକ ସମୟରେ ଓଡ଼ିଶାରୁ ନେତା କର୍ମୀ ଯାଇ ଦିଲ୍ଲୀରେ ଫେରାଦ ହୋଇଛନ୍ତି ।

ଯଦି ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦ ଛାଡିଦିଅନ୍ତି , ତେବେ ଦଳ କିପରି ଆଗକୁ ଯିବ? ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ପ୍ରତି ମୁହୂର୍ତ ଗୁରୁତ୍ୱପୂର୍ଣ୍ଣ ଆଉ ଏଭଳି ସମୟରେ ବିନା ମୁଖିଆରେ କଂଗ୍ରେସ ଆଗକୁ ଯାଉଛି ।  ଉଭୟ ବିଜେଡି ଓ ବିଜେପି, ପଞ୍ଚାୟତ ପ୍ଲାନ୍ ପ୍ରସ୍ତୁତ କରି ତୃଣମୂଳ ସ୍ତରରେ କାମ ଆରମ୍ଭ କରିଦେଲେଣି । ହେଲେ କଂଗ୍ରେସ ନେତା ଗୋଷ୍ଠିକନ୍ଦଳ ଭିତରେ ମାତିଛନ୍ତି । ତେଣୁ ଦଳ ମୁଖିଆ ବିହୀନ ହୋଇଯାଇଛି । ଏବେ ଦେଖିବାର କଥା, କାହା ସପକ୍ଷରେ ଦିଲ୍ଲୀ ଲବି ଯାଉଛି । କାହା ଉପରେ ଭରସା ରଖି ପିସିସି ଦାୟିତ୍ୱ ଦେଉଛନ୍ତି ସୋନିଆ ଗାନ୍ଧୀ ।