କନକ ବ୍ୟୁରୋ: ସୁନ୍ଦରଗଡ଼ କୋଲ ୱାସେରୀରେ ଗୁଳି ଓ ବୋମାମାଡ଼ ଘଟଣାରେ ପୁଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ । ତୁରନ୍ତ କୋର୍ଟରେ ଅଭିଯୁକ୍ତଙ୍କୁ କେମିତି ମିଳିଗଲା ଜାମିନ, ସନ୍ଦେହ ଘେରକୁ ଆସିଲା ପୁଲିସ । କୋର୍ଟରେ ପ୍ରମାଣ ଦେଇପାରିନଥିବା ଅଭିଯୋଗ । ଘଟଣାରେ ୬ ଗୁରୁତରଙ୍କର ଚାଲିଛି ଚିକିତ୍ସା ।

Advertisment

ଭାଇରାଲ ହେଉଛି ଗତ ଗୁରବାର ସୁନ୍ଦରଗଡ ହେମଗିରି ଥାନା ଗର୍ଜନବାହାଲ ଭାଟିଆ ଏନର୍ଜି ଆଣ୍ଡ ପାଓ୍ୱାର କମ୍ପାନୀର କୋଲ ଓ୍ୱାସେରୀରେ ସଙ୍ଗଠିତ ଗ୍ୟାଙ୍ଗୱରର ଭାଇରାଲ ଭିଡିଓ । ୭ ସେକେଣ୍ଡର ଏହି ଭିଡିଓରେ କୋଲ ୱାସେରି ପାର୍କିଂରେ ଥିବା ଏକ କଳାକାରକୁ ଭଙ୍ଗାରୁଜା କରାଯାଉଛି । ପୁଲିସ ଘଟଣାର ତଦନ୍ତ କରି ୧୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ସମୟରେ ଅଭିଯୁକ୍ତଙ୍କ ନାଁରେ ଆର୍ମସ ଆକ୍ଟ ସହ ୧୫ଟି ଗୁରୁତର ଦଫା ଲାଗିଥିଲା । କିନ୍ତୁ ତଥ୍ୟ ପ୍ରମାଣ ମିଳିଲାନି ବୋଲି ପୁଲିସ କୋର୍ଟରେ ଦର୍ଶାଇବା ପରେ ହଠାତ ସମସ୍ତଙ୍କୁ କୋର୍ଟରୁ ଜାମିନ ମିଳିଯାଇଛି । ଏହ ପୁଲିସର ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛି ।

କାହା ଚାପରେ କାମ କରୁଛି ପୁଲିସ?
କେମିତି ଜାମିନ ପାଇଲେ ଅଭିଯୁକ୍ତ?

ଭାଟିଆ କୋଲ ଓ୍ୱାସେରୀରେ ଅଂଶୀଦାରକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗିରହିଛି । ଗତ ୪ ତାରିଖରେ ରାୟଗଡରୁ ୫୦ରୁ ୬୦ ଦୁର୍ବୃତ ଆସି ବ୍ୟାପକ ଭଙ୍ଗାରୁଜା କରିବା ସହ ଗୁଳି ଓ ବୋମା ଫୁଟାଇଥିଲେ । ମାମଲାରେ ଛତିଶଗଡ ରାୟଗଡର ୪ ଜଣଙ୍କ ସହ ୪୦ରୁ ୫୦ଜଣ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ପୁଲିସ ତତ୍ପରତା ଦେଖାଇ ୧୭ ଜଣଙ୍କୁ ଗିରଫ ବି କରିଥିଲା । କିନ୍ତୁ ଆଶ୍ଚର୍ୟ୍ୟଜନକ ଭାବେ ସମସ୍ତଙ୍କୁ ଜାମିନ ମିଳିଛି । ଆଉ କାଂଉଟର ଏଫଆଇରରେ ଯେଉଁ ସୁରେଶ ଗୁପ୍ତାଙ୍କ ନାଁ ସାମିଲ ହୋଇଛି , ସେ କୋଭିଡ ସମୟରେ ପ୍ରାଣ ହରାଇଛନ୍ତି । ତାଙ୍କର ଡେଥ ସାର୍ଟିଫିକେଟ ଏହା ଦର୍ଶାଉଛି ।

ଗଣ୍ଡଗୋଳର ଭିଡିଓ ଭାଇରାଲ ହେଉଥିବା ସମୟରେ ପୁଲିସ ମାମଲାକୁ ହାଲକା ଭାବେ ନେବାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି । ପୁଲିସ ବି ଏ ନେଇ ପ୍ରତିକ୍ରିୟା ଦେଉନାହିଁ । କୁହାଯାଉଛି, ୱାସେରିକୁ ନିଜ ନିୟନ୍ତ୍ରଣକୁ ନେବାକୁ ରାୟଗଡ ଓ ଓଡିଶା କୋଇଲା ବ୍ୟବସାୟୀଙ୍କ ମଧ୍ୟରେ ଏଭଳି ହିଂସାତ୍ମକ ସଂଘର୍ଷ ହୋଇଥିଲା । ପ୍ରଶ୍ନ ଉଠୁଛି
-ଭାଇରାଲ ଭିଡିଓର ଅନୁସନ୍ଧାନ କରି ଦୋଷୀକୁ ଧରିବ ତ ପୁଲିସ?
-ଅଭିଯୁକ୍ତଙ୍କ ନାଁରେ ମାମଲା କୋହଳ ହେଲା କିଭିଳି?
-ପୁଲିସ କାହିଁକି କାଂଉଟର ଏଫଆଇର ଦାଖଲ କଲା ?