କନକ ବ୍ୟୁରୋ : ୫ ଦିନର ଟେଷ୍ଟ ମ୍ୟାଚ୍ । ସରିଗଲା ଦେଢ ଦିନରେ । ମ୍ୟାଚ୍ ଖେଳାଗଲା ମାତ୍ର ୧୪୦ ଓଭର ୨ ଟି ବଲ୍ । ଏପରି ଖେଳ ପରେ କ୍ରିକେଟ୍ ପିଚକୁ ନେଇ ପ୍ରଶ୍ନ ଉଠିବା ତ ସ୍ୱଭାବିକ କଥା । ତେବେ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମର ନବନିର୍ମିତ ପିଚ୍ ର ଏପରି ପ୍ରଦର୍ଶନ, ଠିଆ କରୁଛି ଅନେକ ପ୍ରଶ୍ନ ।

Advertisment

ଇଂଲଣ୍ଡକୁ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯେତେବେଳେ ଭାରତ ୧୦ ୱିକେଟରେ ପରାସ୍ତ କରିଥିଲା ସେତେବେଳେ ଔପଚାରିକତା ପାଇଁ ପ୍ରତିପକ୍ଷ ଖେଳାଳିଙ୍କ ସହିତ ହାତ ମିଳାଇଥିଲେ ଭାରତକୁ ମ୍ୟାଚ୍ ଜିତାଇଥିବା ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ । ଗୋଟିଏ ଟେଷ୍ଟ ମ୍ୟାଚରେ ଭାରତର ଏପରି ସଅଳ ଏବଂ ଶୀଘ୍ର ବିଜୟ ସହିତ ଏତେ ସବୁ ସମାଲୋଚନା ଉଠିବ , ହୁଏତ ଭାରତୀୟ କ୍ରିକେଟ୍ ଟିମ୍ ଓ ବିସିସିଆଇ ବି ଚିନ୍ତା କରିନଥିବ ।

ବିଶେଷ କରି ବିଦେଶୀ ଗଣମାଧ୍ୟମରେ ମୋଟେରା ପିଚକୁ ନେଇ ଉଠିଛି ପ୍ରଶ୍ନ । ଦି ମିରର ଭଳି ଖବରକାଗଜ ମୋଟେରା ପିଚକୁ ପସନ୍ଦ କରିନାହିଁ । ଭାରତ ଏପରି ପିଚ୍ ପ୍ରସ୍ତୁତ କରି ଖେଳୁଆଡ ମନୋଭାବର ସୀମା ପାର କରିବା ନିକଟରେ ପହଁଚିଥିବା ଉଲ୍ଲେଖ କରିଛି । ଏହା ଆଦୌ ଟେଷ୍ଟ କ୍ରିକେଟ୍ ନଥିଲା ବୋଲି ଲେଖିଛି ଦି ମିରର୍ ।

ମୋଟେରା ପିଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ଆଲିଷ୍ଟର କୁକ୍ । ଦେଢ ଦିନରେ ମ୍ୟାଚ୍ ସରିବା ନୈରାଶ୍ୟଜନକ ବ୍ୟାଟିଂକୁ ଦର୍ଶାଉଛି । ଏହି କାରଣରୁ ଭାରତ ୧୦ ଓି୍ୱକେଟରେ ମ୍ୟାଚ୍ ଜିତିଲା । ଆମ ପାଖରେ ବିରାଟ କୋହଲି ଏବଂ ଜୋ ରୁଟଙ୍କ ଭଳି ବ୍ୟାଟସ୍ ମ୍ୟାନ୍ ରହିଥିଲେ । ସେମାନେ ସ୍ପିନ୍ ଖେଳିବାରେ ସିଦ୍ଧହସ୍ତ । କିନ୍ତୁ ଫଳାଫଳ କଣ ହେଲା । ସେମାନେ ବି ପିଚରେ ସଂଘର୍ଷ କଲେ । କୋହଲି ପିଚକୁ ନେଇ ଯେପରି ମନ୍ତବ୍ୟ ଦେଇଛନ୍ତି ତାହା ଗ୍ରହଣୀୟ ନୁହଁ । ମୋଟେରା ପିଚରେ ବ୍ୟାଟିଂ କରିବା ବହୁତ କଷ୍ଟକର ଥିଲା ।

ସେହିପରି ମୋଟେରା ପିଚକୁ ନେଇ ସିଧାସଳଖ ସମାଲୋଚନା କରିଛନ୍ତି ମାଇକେଲ ଭନ୍ । ଏହାକୁ ନେଇ ଟୁଇଟ୍ କରି ଆଇସିସି ଏବଂ ବିସିସିଆଇ ଉପରେ ଆକ୍ରମଣ କରିଛନ୍ତି ଭନ୍ । ଏହି ସପ୍ତାହରେ କେହି ମ୍ୟାଚ୍ ଜିତିନାହାନ୍ତି । ଏପରି ଦୁର୍ବଳ ଓ ନିମ୍ନମାନର ପିଚ୍ ପ୍ରସ୍ତୁତରୁ ଭାରତ ଏବଂ ଅନ୍ୟ ଦେଶଙ୍କୁ ବିରତ ରଖିବାକୁ ଆଇସିସି ତୁରନ୍ତ ପଦ କ୍ଷେପ ନେଉ ବୋଲି ଟୁଇଟ୍ କରିଛନ୍ତି ଭନ୍ । କେବଳ ସେତିକି ନୁହଁ ଇଂଲଣ୍ଡରେ ଏକ ସୋରେ ଭାଗ ନେଇ ଭନ୍ ମ୍ୟାଚ୍ ସରିବା ପରେ ପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ।

କେବଳ ସେତିକି ନୁହଁ ମୋଟେରା ପିଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରସିଦ୍ଧ କ୍ରିକେଟ ଲେଖକ ସିଲଡ ବେରିା ଟେଲିଗ୍ରାଫରେ ଏକ ସ୍ତମ୍ଭରେ ବେରି ଉଲ୍ଲେଖ କରିଛନ୍ତି । ଅନୁପଯୁକ୍ତ ପିଚ୍ ଟେଷ୍ଟ କ୍ରିକେଟ୍ ପାଇଁ ଆଦୌ ଉପକୂଳ ନଥିଲା । ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଂଟକୁ ପରିତ୍ୟାଗ କରିବା ଉଚିତ । ଏପରିକି ନବନିର୍ମିତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ ଅତ୍ୟନ୍ତ ନିମ୍ନ ମାନର ପିଚ୍ ପ୍ରସ୍ତୁତ କରିଥିବାରୁ ଏହି ଷ୍ଟାଡିୟମକୁ ୧୨ରୁ ୧୪ ମାସ ବାସନ୍ଦ କରିବାକୁ ଆଇସିସିକୁ ଆହ୍ୱାନ କରୁଛୁ । ଏହି ଷ୍ଟାଡିୟମ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ଥିବାରୁ ଆଇସିସି ଏହା ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେଇପାରିବ?

ମୋଟେରା ପିଚକୁ ନେଇ ବିଦେଶୀ ଗଣମାଧ୍ୟମରେ ପୁଳା ପୁଳା ଲେଖା ପ୍ରକାଶ ପାଇଛି । କଥା ଏହା ନୁହଁ ଯେ ଇଂଲଣ୍ଡ ମ୍ୟାଚ୍ ହାରିଗଲା ବୋଲି, କଥା ଏଇଆ , ଏହା ମଧ୍ୟରେ ୫ ଦିନର ଗୋଟିଏ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ମାତ୍ର ଦେଢ ଦିନରେ ଦୁଇଥର ଅଲଆଉଟ୍ ହେବା, ବ୍ରିଟେନବାସୀଙ୍କୁ ହଜମ ହେଉନି ।

ଇଂଲଣ୍ଡର ପୂର୍ବତନ କ୍ରିକେଟର ନାସିର ହୁସେନ୍ ଏହା ଭିତରେ ପିଚ୍ ଅପେକ୍ଷା ଇଂଲଣ୍ଡ ଦଳକୁ ଅଧିକ ଦାୟୀ କରିଛନ୍ତି । ନାସିର ହୁସେନ୍ ଇଂଲଣ୍ଡ ଟିମକୁ ଡରୁଆ ଠେକୁଆ ବୋଲି କହିଛନ୍ତି । ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ସମୟରେ ଇଂଲଣ୍ଡ ଟିମ୍ ମାନସିକ ଭାବେ ପ୍ରସ୍ତୁତ ନଥିବା ପରି ଜଣାପଡୁଥିଲା ବୋଲି କହିଛନ୍ତି ନାସିର ହୁସେନ ୍ା ଭାରତୀୟ ସ୍ପିନର ଅକ୍ଷର ପଟେଲ ଷ୍ଟମ୍ପ ସିଧାରେ ବୋଲିଂ କରି ୱିକେଟ୍ ପାଇଛନ୍ତି । ଅର୍ଥାତ୍ ଇଂଲଣ୍ଡ ବ୍ୟାଟସମ୍ୟାନ୍ ୱିକେଟ୍ ଫିଙ୍ଗି ଦେଇଛନ୍ତି । ଆଗାମୀ ଟେଷ୍ଟ ଏବେ ଡ୍ରା କରିବା ପାଇଁ ଇଂଲଣ୍ଡ ଉପରେ ଚାପ ରହିବ ବୋଲି କହିଛନ୍ତି ନାସିର ହୁସେନ୍ ।