ଆଜି ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ହେବ ଶେଷକୃତ୍ୟ । ଅନ୍ତିମ ଦର୍ଶନ ପରେ ଅପରାହ୍ନ ୩ଟାରେ ହେବ ଅନ୍ତିମ ସଂସ୍କାର ।

109

କନକ ବ୍ୟୁରୋ: ଖଲ୍ଲିକୋଟ ତଥା କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଭି.ସୁଜ୍ଞାନ ଦେଓଙ୍କ ଆଜି ହେବ ଶେଷକୃତ୍ୟ । ଖଲିକୋଟ ସ୍ଥିତ ବାସଭବନକୁ ତାଙ୍କ ମର ଶରୀର ଅଣାଯାଇଛି । ଆଜି ଅନ୍ତିମ ଦର୍ଶନ ପରେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବ । ଅପରାହ୍ନ ୩ଟାରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।

ତାଙ୍କ ପୌଷ୍ୟପୁତ୍ର ଡାକ୍ତର ସାକେତ ରାମା ରାଓ ମୁଖାଗ୍ନି ଦେବା ନେଇ ସୂଚନା ମିଳିଛି । ଗତକାଲି ଚେନ୍ନାଇରୁ ସୁଜ୍ଞାନ ଦେଓଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଶଙ୍ଖ ଭବନ ଅଣାଯାଇଥିଲା । ସେଠାରେ ବିଜେଡି ନେତା ଓ ସମର୍ଥକ ସୁଜ୍ଞାନ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶେଷଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ଶଙ୍ଖଭବନରେ ସୁଜ୍ଞାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ସୁଜ୍ଞାନର ମରଶରୀରକୁ ତାଙ୍କ ବିଧାନସଭାକୁ ନିଆଯାଇଥିଲା । ସେଠାରେ ସବୁ ଦଳର ବିଧାୟକ, ମନ୍ତ୍ରୀ ଉପସ୍ଥିତ ରହି ଖଲ୍ଲିକୋଟ ରାଣୀଙ୍କୁ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଗତକାଲି ରାତିରେ ତାଙ୍କ ମରଶରରୀକୁ ଖଲ୍ଲିକୋଟ ନିଆଯାଯାଇଛି ।

୮୭ ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା । କିଛି ଦିନ ହେବ ଅସୁସ୍ଥ ହୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି ‘ଏହା ଏକ ଅପୂରଣୀୟ କ୍ଷତି । ବିଜେଡିର ବରିଷ୍ଠ ନେତା ଭାବେ ଦଳକୁ ସଂଗଠିତ କରିବାରେ ତାଙ୍କର ବଡ ଯୋଗଦାନ ରହିଛି । ୧୦ ଥର ବିଧାନସଭାକୁ ନିର୍ବାଚିତ ହୋଇ, ରାଜ୍ୟ ରାଜନୀତିରେ ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି ।’ ଦଳମତ ନିର୍ବିଶେଷରେ ଶୋକପ୍ରକାଶ କରିଛନ୍ତି ରାଜ୍ୟ ରାଜନୀତିର ତୁଙ୍ଗ ନେତା । ନିଜେ କେବେ ମନ୍ତ୍ରୀ ହୋଇନଥିଲେ, କିନ୍ତୁ ଅନେକଙ୍କୁ ମନ୍ତ୍ରୀ କରିବାରେ ସୁଜ୍ଞାନ ଦେଓଙ୍କ ପ୍ରମୁଖ ଭୂମିକା ଥିଲା । ଗଂଜାମ ରାଜନୀତିରେ ୬ ଦଶନ୍ଧୀ ଧରି ତାଙ୍କର ପ୍ରଭାବ ରହିଥିଲା । ଖଲ୍ଲିକୋଟ ରାଜନୀତିରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଥିଲା ।