ନକଲି ନୋଟ୍ ଛାପୁଥିଲେ ବିଜେପିର ପୂର୍ବତନ ବିଧାୟକଙ୍କ ସ୍ତ୍ରୀ, ଲୋକେ ପଚାରିବାରୁ କଲେ ଛୁରୀରେ ଆକ୍ରମଣ

ନକଲି ନୋଟ୍ର ରାଣୀ

566

କନକ ବ୍ୟୁରୋ : ଚାଇଁବସାର ପୂର୍ବତନ ବିଜେପି ବିଧାୟକଙ୍କ ସ୍ତ୍ରୀଙ୍କ ନାମରେ ଗମ୍ଭୀର ମାମଲା । ନକଲି ନୋଟ୍ ଛାପୁଥିବା ନେଇ ଥାନାରେ ଅଭିଯୋଗ । ଏନେଇ ସ୍ଥାନୀୟ ଲୋକେ ପଚାରିବାକୁ ସେ ଲୋକମାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଏହି ପୁରା ମାମଲା ଏବେ ଚାଇବସାର ମୁଫ୍ସିଲ ଥାନାରେ ରହିଛି ।

ଯେଉଁ ମହିଳା ନାମରେ ଏଭଳି ସଂଗୀନ ଅଭିଯୋଗ ଆସିଛି ତାଙ୍କ ସ୍ୱାମୀ ପୁତକର ହେମ୍ବ୍ରମ ବିଜେପିର ଜଣେ ପୂର୍ବତନ ବିଧାୟକ ଅଟନ୍ତି । ଅଭିଯୁକ୍ତ ମହିଳା ଜଣଙ୍କ ପୁତ୍କରଙ୍କର ଦ୍ୱିତୀୟ ସ୍ତ୍ରୀ ବୋଲି ଜଣାପଡିଛି । ତାଙ୍କ ନାମ ମଲାୟା ହେମ୍ବ୍ରମ୍ । ସ୍ଥାନୀୟ ଲୋକଙ୍କ କହିବା କଥା କି ମଲାୟା କିଛିଦିନ ହେବ ପାଖ ବଜାରର ବିଭିନ୍ନ ଦୋକାନରେ ନକଲି ନୋଟ ଦେଇ ଜିନିଷ କିଣୁଥିଲେ । ଦୋକାନୀ ମାନେ ଯେତେବେଳେ ଏହି ନୋଟକୁ ବ୍ୟାଙ୍କରେ ଜମା କରିବାକୁ ନେଇଥିଲେ ସେତେବେଳେ ସେମାନେ ଜାଣିବାକୁ ପାଇଥିଲେ କି ଏହା ନକଲି ନୋଟ୍ ।

କପଡା ଦୋକାନରୁ ନେଇ ମାଛ ଦୋକାନ ଯାଏ ସବୁ ସ୍ଥାନରେ ମଲାୟା ଦୁଇ ହଜାରର ନକଲି ନୋଟ୍ ଦେଇଥିଲେ । ମଲାୟା ଯେତେବେଳେ ରାତିର ଅନ୍ଧାରରେ ପୁଣି ଥରେ ସେହି ଦୋକାନ ମାନଙ୍କୁ ଜିନିଷ କିଣିବାକୁ ଯାଇଥିଲେ ଦୋକାନୀ ମାନେ ତାଙ୍କୁ ଘେରି ଯାଇଥିଲେ । ମଲାୟା ଦେଇଥିବା ନକଲି ନୋଟ୍ ଫେରାଇ ତାଙ୍କୁ ଅସଲି ନୋଟ୍ ଦେବାକୁ ବାଧ୍ୟ କରିଥିଲେ । ହେଲେ ମଲାୟା ନୋଟ୍ ଫେରାଇବାକୁ ମନା କରିବାରୁ ଆରମ୍ଭ ହୋଇଥିଲା ବିବାଦ ।

ଉଭୟ ମଲାୟା ଓ ଦୋକାନୀଙ୍କ ମଧ୍ୟରେ ଝଗଡା ବଢିବାରୁ ମଲାୟା ପାଖରେ ରଖିଥିବା ଏକ ଛୁରୀରେ ୩ ମହିଳା ଦୋକାନୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୩ ଜଣ ଯାକ ମହିଳା ଆହତ ହୋଇଛନ୍ତି । ସୂଚନା ପାଇବା ପରେ ମୁଫ୍ସିଲ ଥାନା କର୍ମଚାରୀ ମାନେ ସେଠାରେ ପହଂଚି ମଲାୟାକୁ ଥାନାକୁ ନେଇଯାଇଥିଲେ ।

ଥାନାରେ ପୋଲିସ ମଲାୟାଙ୍କ ସହ ଦୋକାନୀ ମାନଙ୍କୁ ପଚରା ଉଚରା କରିବା ପରେ ରାତିରେ ମଲାୟାଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏଥିରେ ପୋଲିସକୁ ନକଲି ନୋଟ୍ ସହ ସମ୍ବଦ୍ଧିତ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏହା ପରେ ପୋଲିସ ଏହି ମାମଲାକୁ ନେଇ ଅଧିକ ଖୋଳତାଡ ଚଳାଇଛି । ଏହା ସହ ଖୁବଶୀଘ୍ର ଏହି ମାମଲାର ଏକ ବଡ ଖୋଲାସା କରିବ ବୋଲି ଜଣାପଡିଛି ।