ବାଘ ଖୁଆଡ଼ରେ ଅଜଗର ଅଧମରା : ଆହତ ଅଜଗରଟି ଏବେ ଓୟୁଏଟିରେ ଚିକିତ୍ସିଧୀନ ଅଛି

167

କନକ ବ୍ୟୁରୋ : ବାଘ ଖୁଆଡ଼ରେ ଅଜଗର ଅଧମରା । ନନ୍ଦନକାନନ ସଲଗ୍ନ ଜଙ୍ଗଲରୁ ବାଘ ଖୁଆଡ଼କୁ ପଶି ଆସିଥିବା ଏକ ଅଜଗର ବାଘୁଣୀ ରୁପାର ପଂଝା ମାଡ଼ରେ ଗୁରୁତର ଆହତ ହୋଇଛି । ଆହତ ଅଜଗରଟି ଏବେ ଓୟୁଏଟିରେ ଚିକିତ୍ସିଧୀନ ଅଛି । ଅଜଗର ପେଟରେ ସୃଷ୍ଟି ହୋଇଥିବା ଗଭିର କ୍ଷତକୁ ବ୍ୟାଣ୍ଡେଜ କରାଯାଇଛି । ତାକୁ ସ୍ୱତନ୍ତ୍ର ନିରିକ୍ଷଣରେ ରଖାଯାଇଛି । ତେବେ ଅଜଗର ଏବଂ ବାଘ ମଧ୍ୟରେ ପ୍ରାୟ ୧୫ ମିନିଟ ଧରି ଚାଲିଥିଲା ଛକାପଂଝା ।

ନନ୍ଦନକାନନ ୩୨ ନମ୍ବର ବାଘ ଖୁଆଡ଼ରେ ୫ ବର୍ଷୀୟା ଧଳା ବାଘୁଣୀ ରୁପା ରହୁଛି । ହଠାତ୍ ଅଜଗରଟି ବାଘ ଖୁଆଡ଼କୁ ପଶି ଆସିଥିବା ବେଳେ ବାଘ ଏବଂ ଅଜଗର ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । ଅଜଗର ଉପରେ ରୁପାର ନଜର ପଡ଼ିବା ପରେ ବାଘଟି ଗର୍ଜନ କରି ଅଜଗରକୁ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲା । ବାଘ ହେଂଟାଳ ଶୁଣିବା ପରେ ସାପଟି ଭୟରେ ଆଗକୁ ନଯାଇ ଗୋଟିଏ ସ୍ଥାନରେ ଜାକି ହୋଇ ରହିଯାଇଥିଲା । ରୁପାର ଏଭଳି ହେଂଟାଳ ଶୁଣି ଜନ୍ତୁରକ୍ଷକ ମାନେ ସେଠାକୁ ଆସିଥିଲେ । ସେତେବେଳେ ବାଘୁଳି ଏବଂ ଅଜଗର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ରୁପା କୁଦା ମାରି ଅଜଗରକୁ ଆକ୍ରମଣ କରିବା ବେଳେ ଅଜଗର ମଧ୍ୟ ବାଘୁଣୀକୁ କାମୁଡ଼ିବା ପାଇଁ ଚିହିଁକି ଉଠିଥିଲା ।

ମାତ୍ର ଅଜଗରର ଆକ୍ରମଣ ରୁପାର କିଛି କ୍ଷତି କରିପାରିନଥିଲା। ରୁପା କୁଦା ମାରି ପଛକୁ ଡେଇଁ ପଡ଼ି ନିଜକୁ ବଞ୍ଚାଇବା ସହ ପୁଣି ତା ପଞ୍ଝାରେ ସାପକୁ ଆଘାତ କରୁଥିଲା। ଏହା ଭିତରେ ଅଜଗର ଖୁଆଡ଼ରୁ ବାହାରି ଯିବା ପାଇଁ ବାଟ ଖୋଜିଥିଲେ ବି ରୁପା ତାକୁ ତାର ଜାଲି ଡେଇଁବାକୁ ସୁଯୋଗ ଦେଇନଥିଲା। ସାପର ପେଟ ଓ ଅନ୍ୟାନ୍ୟ ସ୍ଥାନରେ ଗୁରୁତର କ୍ଷତ ହେବାରୁ କିଛି ସମୟ ପରେ ସେ ଦରମଲା ହୋଇ ପଡ଼ି ରହିଥିଲା। ଆଉ ଏତିକିବେଳେ ଜନ୍ତୁରକ୍ଷକମାନେ ରୁପାକୁ ଖୁଆଡ଼ ଭିତରକୁ ତଡ଼ିବାରେ ସଫଳ ହୋଇଥିଲେ। ତୁରନ୍ତ କର୍ମଚାରୀମାନେ ଅଜଗରଟିକୁ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ନେଇଥିଲେ। ସୌଭାଗ୍ୟକୁ ସେହି ସମୟରେ ଓୟୁଏଟି ପ୍ରଫେସର ଇନ୍ଦ୍ରମଣି ନାଥ ଓ ତାଙ୍କ ଟିମ୍‌ ନିୟମିତ ପରିଦର୍ଶନରେ ନନ୍ଦନକାନନ ଯାଇଥିଲେ। ପ୍ରଫେସର ନାଥ ନନ୍ଦନକାନନ ଡାକ୍ତରଙ୍କ ସହଯୋଗରେ ସାପର ପ୍ରାଥମିକ ଚିକିତ୍ସା କରାଇ ଓୟୁଏଟି ନେଇ ଚାଲିଆସିଥିଲେ । ଓୟୁଏଟିରେ ସାପର କ୍ଷତସ୍ଥାନକୁ ସିଲେଇ କରାଯାଇଥିଲା ।

ପ୍ରଫେସର ନାଥଙ୍କ ସୂଚନାନୁସାରେ ଅଜଗରର ଅପରେସନ୍ ସଫଳ ହୋଇଛି। ତାକୁ ଏବେ ନିରୀକ୍ଷଣରେ ରଖାଯାଇଛି । ସ୍ବାଭାବିକ ଭାବେ ସାପ ୭/୮ ଦିନ ବିନା ଖାଦ୍ୟ ଗ୍ରହଣରେ ବଞ୍ଚି ପାରିବ । ତଥାପି ଏ ଭିତରେ ତାକୁ ତରଳ ଖାଦ୍ୟ ଅଣ୍ଡାର ଧଳା ଅଂଶ ଓ କେଶର ଦିଆଯିବ । ଷ୍ଟିଚ୍‌ ଶୁଖିବା ପରେ ବି ତାକୁ କିଛି ଦିନ ରଖାଯିବ ଓ ମୂଷା ଖାଇବାକୁ ଦିଆଯିବ । ପୂରା ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ପ୍ରଫେସର ନାଥ କହିଛନ୍ତି । ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ବାଘ ଖୁଆଡ଼ ଭିତରକୁ ଗୋଟିଏ କୁମ୍ଭୀର ବି ପଶି ଆସିଥିଲା ।