କନକ ବ୍ୟୁରୋ: ଶ୍ରୀଗୁଣ୍ଡିଚା ଦିନଠାରୁ ଉତ୍ତରମୁହାଁ ହୋଇ ରହିଥିବା ତିନି ରଥ ମଧ୍ୟରୁ ଦୁଇ ରଥ ଦକ୍ଷିଣ ମୋଡ ନେଇଛନ୍ତି । ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ ନେଇଛନ୍ତି । ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ଦୁଇ ରଥ ଦକ୍ଷିଣ ମୋଡ ନେଇ ନାକଚଣା ଦ୍ୱାରରେ ରହିଛନ୍ତି । ଆଜି ସକାଳ ୮ଟାରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ ନେବେ । ମହାପ୍ରଭୁଙ୍କ ରଥ ଦକ୍ଷିଣ ମୋଡ ନେବା ପରେ ସାଧାରଣ ଦର୍ଶନ ହେବ । ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ଓ ଶୁକ୍ରବାର ଏକାଦଶୀ ଦିନ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଏବଂ ୧୩ ତାରିଖରେ ସୁନାବେଶ ଅନୁଷ୍ଠିତ ହେବ ।
ସୋମବାର ସେବାୟତ-ଜେଟିପି ବିବାଦ ଯୋଗୁଁ ହେରାପଞ୍ଚମୀ ନୀତିରେ ବିଳମ୍ବ ହୋଇଥିଲା। ମା’ ଲକ୍ଷ୍ମୀ ଠାକୁରାଣୀ ବିଳମ୍ବରେ ବିଜେ କରିଥିଲେ। ଫଳରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଭୋର୍ ୪ଟା ୩୫ରେ ହୋଇଥିଲା। ଫଳରେ ଗତକାଲି ଭୋର ୪ଟାରେ ହେବାକୁ ଥିବା ଦ୍ବାରଫିଟା ସକାଳ ୬ଟା ୫୫ରେ ହୋଇଥିଲା। ଏହା ପରେ ସମସ୍ତ ନୀତି ବିଳମ୍ବରେ ଚାଲିଥିଲା। ସକାଳ ଧୂପ ଅପରାହ୍ନ ୧ଟା ୧୦ରେ ଶେଷ ହୋଇଥିଲା। ସେହିଭଳି ମଧ୍ୟାହ୍ନ ୧୨ଟା୩୦ରେ ହେବାକୁ ଥିବା ରଥ ଆଜ୍ଞା ମାଳ ବିଜେ ଅପରାହ୍ନ ୨ଟା ୪୦ରେ ହୋଇଥିଲା। ରଥ ଆଜ୍ଞାମାଳ ବିଜେ ପରେ ଅପରାହ୍ନ ୩ଟା ୦୫ରେ ରଥ ଦକ୍ଷିଣ ମୋଡ଼ ହୋଇଥିଲା।
ପରମ୍ପରା ମୁତାବକ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣ ମୋଡ଼ ହୋଇଥିଲା। ଅପରାହ୍ନ ୩ଟା ୦୫ରେ ଏହି ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇ ଅପରାହ୍ନ ୪ଟା୧୮ରେ ଶେଷ ହୋଇଥିଲା। ପରେ ପରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ୪ଟା୪୦ରେ ଦକ୍ଷିଣ ମୋଡ଼ ହୋଇଥିଲା। ସନ୍ଧ୍ୟା ୬ଟା ୦୬ରେ ବଳଭଦ୍ରଙ୍କ ରଥ ନାକଚଣା ଦ୍ବାର ନିକଟରେ ଲାଗିଥିଲା । ଆଜି ନନ୍ଦିଘୋଷ ରଥ ମୋଡ଼ ନେବ। ମହାପ୍ରଭୁଙ୍କ ରଥ ଦକ୍ଷିଣମୋଡ଼ ନେବା ପରେ ଆଜି ସାଧାରଣ ଦର୍ଶନ ରହିବ।