କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭାଗ୍ୟ ନିର୍ଣ୍ଣୟ କରିପାରନ୍ତି ହାଇକୋର୍ଟ । କାରଣ ଏ ସଂପର୍କିତ ଏକ ଆବେଦନର ଶୁଣାଣି କରିବାକୁ ଆଜି ଦିନ ଧାର୍ଯ୍ୟ କରିଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟ । ପୁରୀ ଶ୍ରୀମନ୍ଦରର ଉନ୍ନତିକରଣ ନାଁରେ ବେଆଇନ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ କରି ହାଇକୋର୍ଟରେ ଏକ ଆବେଦନ ହୋଇଥିଲା । ଗତ ଏପ୍ରିଲ ୮ ତାରିରେ ଏହାର ଶୁଣାଣି କରି ୧୭ ତାରିଖ ସୁଦ୍ଧା ପକ୍ଷ ରଖିବା ପାଇଁ ରାଜ୍ୟ ସରକାର ଓ ପ୍ରତ୍ନତତ୍ୱ ବିଭାଗ- ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏଥିସହ ପରବର୍ତୀ ଶୁଣାଣି ପାଇଁ ଆଜି ଦିନକୁ ଧାର୍ଯ୍ୟ କରିଥିଲେ ।
ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର କଣ ତଥ୍ୟ ରଖିଛନ୍ତି ତାହା ଜଣା ପଡିନାହିଁ । କିନ୍ତୁ ଏହାରି ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କରୁଥିବା ଟାଟା ପ୍ରୋଜେକ୍ଟ ଲିମିଟେଡ୍ ପ୍ରକଳ୍ପ ଅଂଚଳରେ ଲଗାଇଥିବା କେତେକ ଲେ’ ଆଉଟ ବା ନକ୍ସକୁ ପରିବର୍ତନ କରିଦେଇଛି । ନିର୍ମାଣ କାମ ଚଳାଇଥିବା ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍, ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଲେ-ଆଉଟ ବା ପୋଷ୍ଟର ଲଗାଇଥିଲା । ହେଲେ ପାଚେରୀ କାନ୍ଥରେ ଲାଗିଥିବା କେତେକ ପୋଷ୍ଟରକୁ ହଟାଇ ଦିଆଯାଇଛି । କେବଳ ଶୌଚାଳୟ ଓ ବିଶ୍ରାମ ପ୍ରକୋଷ୍ଠର ପୋଷ୍ଟର ଲାଗିଥିବାବେଳେ ଦାନ କିଓସ୍କ, ଇଲେକ୍ଟ୍ରିକାଲ ରୁମ ପରି ଅନ୍ୟ କେତେକ ବିବାଦୀୟ ନିର୍ମାଣର ପୋଷ୍ଟରକୁ ହଟାଇ ଦେଇଛି ଠିକା ସଂସ୍ଥା । ଯାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ପୁରା ଘଟଣାରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ-ଏଏସଆଇର ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି । କାରଣ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଏଏସଆଇର କୌଣସି ଅଧିକାରୀ ଖନନ କିମ୍ବା ନିର୍ମାଣ ହେଉଥିବା ସ୍ଥାନକୁ ପରିଦର୍ଶନ କରିବା ପାଇଁ ଯାଇ ନାହାନ୍ତି ।