କନକ ବ୍ୟୁରୋ: ପ୍ରତିଶ୍ରୁତି ପୂରଣ କଲା ବିଜେପି ସରକାର । ଖୋଲିଲା ଶ୍ରୀମନ୍ଦିରର ଚାରି ଦ୍ୱାର । ଯାହାକି ଗୋଟିଏ ବଡ ଅପେକ୍ଷାର ଅନ୍ତ ଘଟାଇଛି । ଭକ୍ତଙ୍କ ପାଇଁ କେବଳ ସିଂହଦ୍ୱାର ଖୋଲିଥିବାରୁ ଘଂଟାଘଂଟା ଧରି ଧାଡ଼ିରେ ଛିଡ଼ା ହୋଇ ରହୁଥିଲେ ଭକ୍ତ । ଏବେ ଚାରି ଦ୍ୱାର ଖୋଲିବା ପରେ ଦର୍ଶନ ଆହୁରି ସହଜ ହୋଇଯିବ । ନୂଆ ସରକାରର ଏଭଳି ନିଷ୍ପତି ପରେ ଖୁସିରେ ଆତ୍ମହରା ହୋଇଛନ୍ତି ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଭକ୍ତ ।
ଆସି ଯାଇଛି ସେହି ମୁହୂର୍ତ୍ତ, ଯେଉଁ ମୁହୂର୍ତ୍ତର ଅପେକ୍ଷାରେ ଥିଲେ ଭକ୍ତ । ଚାରି ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ଭକ୍ତ । ଆଉ ଏଥିସହ ୪ ବର୍ଷ ଅପେକ୍ଷାର ଅନ୍ତ ମଧ୍ୟ ଘଟିଛି ।

Advertisment

ଦୂର ହେଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା । କଥା ଦେଇ କଥା ରଖିଲା ଓଡ଼ିଶାର ନୂଆ ସରକାର । ୪ ବର୍ଷ ପରେ ଖୋଲିଛି ଶ୍ରୀମନ୍ଦିର ଚାରିଦ୍ୱାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡା ଏବଂ ନୂଆ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲାଯାଇଛି ସବୁଦ୍ୱାର । କୋଭିଡ ପରଠାରୁ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବନ୍ଦ ରହିଥିଲା ୪ ଦ୍ୱାର । ତେବେ ପରବର୍ତ୍ତୀ ସମୟରେ ପ୍ରଥମେ ସିଂହଦ୍ୱାର ଓ ପରେ ପୁରୀ ସହରବାସୀଙ୍କ ପାଇଁ ପଶ୍ଚିମ ଦ୍ୱାର ଖୋଲିଥିଲା । ଭକ୍ତଙ୍କ ପାଇଁ କେବଳ ସିଂହଦ୍ୱାର ଖୋଲିଥିବାରୁ ଘଂଟାଘଂଟା ଧରି ଧାଡ଼ିରେ ଛିଡ଼ା ହୋଇ ରହୁଥିଲେ ଭକ୍ତ । ଫଳରେ ୪ ଦ୍ୱାର ଖୋଲିବା ପାଇଁ ଦାବି ହୋଇଥିଲା ।

ବୁଧବାର ବିଜେପି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ପୁରୀରେ ପହଞ୍ଚି ରାତ୍ରଯାପନ କରିଥିଲେ । ଆଜି ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀ ସିଂହଦ୍ୱାରଠାରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ସଚିବ । ମହାପ୍ରଭୁଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ମନ୍ତ୍ରୀ ପରିକ୍ରମା ମାର୍ଗ ବୁଲି ଦେଖିଥିଲେ । ଦୁଇ ଉପମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ଦକ୍ଷିଣ ଦ୍ୱାର, ପଶ୍ଚିମ ଦ୍ୱାର ଓ ଉତ୍ତର ଦ୍ୱାର ଦେଇ ପୁନଶ୍ଚ ସିଂହଦ୍ୱାରରେ ପହଞ୍ଚିଥିଲେ ।

ସେପଟେ ଦୀର୍ଘ ୪ ବର୍ଷ ପରେ ଚାରି ଦ୍ୱାର ଖୋଲିଥିବାରୁ ଭକ୍ତଙ୍କ ଭିତରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି । ଭକ୍ତମାନେ ଅତି ଆନନ୍ଦରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହାସହ ନୂଆ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

ବଡ଼ କଥା ହେଉଛି, ଦୀର୍ଘ ଦିନ ହେବ ବନ୍ଦ ରହିଥିଲା ଶ୍ରୀମନ୍ଦିର ୪ ଦ୍ୱାର । ବିରୋଧୀ ଆସନରେ ଥିବାବେଳେ ଦ୍ୱାର ଖୋଲିବାକୁ ବାରମ୍ବାର ଦାବି କରୁଥିଲା ବିଜେପି । ହେଲେ ବିଭିନ୍ନ ଆଳ ଦେଖାଇ ଏଡ଼ାଇ ଚାଲିଥିଲେ ତକ୍ରାଳୀନ ସରକାର ।