ପଦ୍ମପୁର ଜିଲ୍ଲା ଗଠନ ପ୍ରତିଶୃତି ଓ ରାଜନୈତିକ ପ୍ରାସଙ୍ଗିକତା, ଜିଲ୍ଲା ଗଠନ ନେଇ ନବୀନଙ୍କ ଆଗରେ ଚ୍ୟାଲେଞ୍ଜ

214

କନକ ବ୍ୟୁରୋ : ପଦ୍ମପୁର ନିର୍ବାଚନରେ ଜିଲ୍ଲା ଗଠନ ଦାବି ବଡ ପ୍ରସଙ୍ଗ ରହିଛି ଓ ୨୦୧୪ ନିର୍ବାଚନ ପୂର୍ବରୁ ରାଜନୈତିକ ପତିଆରା ଯେପରି ଖସି ନଯିବ, ସେଥିପାଇଁ ପଦ୍ମପୁର ଜିଲ୍ଲା ଗଠନ ଦାବିକୁ ଉଭୟ ଶାସକ ଓ ବିରୋଧୀ ବଡ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି । ପଦ୍ମପୁର ହାତରୁ ଯେପରି ଖସି ନଯାଉ ସେଥିପାଇଁ ଯୋରଦାର ଉଦ୍ୟମ କରୁଛି ବିଜେଡି । ମୁଖ୍ୟମନ୍ତ୍ରୀ ମଧ୍ୟ ପଦ୍ମପୁରେ ନିର୍ବାଚନୀ ସଭାକୁ ସମ୍ଭୋଧିତ କରି ସବଡିଭିଜନକୁ ୨୦୨୩ ସୁଦ୍ଧା ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶୃତି ଦେଇଛନ୍ତି । ବିରୋଧୀ ମୁଖ୍ୟମନ୍ତ୍ରୀ ଘୋଷଣାକୁ ରାଜନୈତିକ ପ୍ରଣୋଦିତ ଓ ନିର୍ବାଚନୀ ଘୋଷଣା ବୋଲି କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଖାଲି ପଦ୍ମପୁର ନୁହେଁ ରାଜ୍ୟର ୧୦ ଅଞ୍ଚଳ ଏପରି ରହିଛି ଯେଉଁଠି ଜିଲ୍ଲା ଗଠନ ଦାବି ଜୋର ଧରିଛି ।

ବିଜେଡିର ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନିର୍ବାଚନରେ ବିଜେଡି ପାଇଁ ଅନୁକୂଳ ବାତାବରଣ ତିଆରି କରିବାନେଇ ବିଜେଡି ଆଶାବାଦୀ ରହିଛି । କାରଣ ଚାଷୀ ଓ ଦାଦନ ସମସ୍ୟା ସହ ପଛୁଆ ସବଡିଭିଜନ ଭାବେ ପଦ୍ମପୁରପାଇଁ ଜିଲ୍ଲା ମାନ୍ୟତା ଏକ ବଡ ପ୍ରସଙ୍ଗ ।  କିନ୍ତୁ ରାଜ୍ୟରେ ଜିଲ୍ଲା ଗଠନ ନେଇ ଆଗରୁ ବିଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳ ପାଇଁ ଦିଆଯାଇଥିବା ପ୍ରତିଶୃତି ଓ ଦାବି ନେଇ ସରକାର କଣ ପଦକ୍ଷେପ ହେବ, ଏହା ବର୍ତ୍ତମାନ ସମୟର ବଡ ପ୍ରଶ୍ନ ଭାବେ ବିଜେଡି ସରକାର ଆଗରେ ଛିଡା ହୋଇଛି । ଯେତେବେଳେ ୨୦୨୪ରେ ନବୀନ ସରକାର ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନକୁ ସମ୍ନା କରିବେ ସେତେବେଳେ ବିଜେଡିକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଜିଲ୍ଲା ମାନ୍ୟତା ଦାବିକୁ ନେଇ ରାଜନୈତିକ ବିରୋଧାଭାଷର ସାମ୍ନା କରିବାକୁ ପଡିବନି ତ ?

ଜିଲ୍ଲା ଗଠନ କିପରି ହୁଏ
ବିଶେଷଜ୍ଞ ମତରେ ନୂଆ ଜିଲ୍ଲା ଗଠନ କରିବା କିମ୍ବା ଜିଲ୍ଲାରେ କୌଣସି ପରିବର୍ତ୍ତନ କରିବା ବା ଜିଲ୍ଲା ମାନ୍ୟତାକୁ ହଟାଇବା ଏ ସମସ୍ତ କ୍ଷମତା ରାଜ୍ୟ ସରକାରଙ୍କ ହାତରେ ରହିଛି ଓ ରାଜ୍ୟ ସରକାର ନିଜର କାର୍ୟ୍ୟପାଳିକ କ୍ଷମତା ବା ଏକଜୁକ୍ୟୁଟିଭ୍ ପାୱାର ବଳରେ ଗେଜେଟ୍ ନୋଟିଫିକେସନ ଆଣି କିମ୍ବା ବିଧାନସଭାରେ ଆଇନ ବଳରେ ନୂଆ ଜିଲ୍ଲା ଗଠନ କରିପାରିବେ ।

ନୂଆ ଜିଲ୍ଲା ଗଠନ କିପରି ସହାୟକ ହୋଇଥାଏ
ନୂଆ ଜିଲ୍ଲା ଗଠନ ନେଇ ରାଜ୍ୟ ମାନଙ୍କର ତର୍କ ରହିଥାଏ ଛୋଟ ଜିଲ୍ଲା ପ୍ରାଶାସନିକ କ୍ଷେତ୍ରରେ ପରିଚାଳନା ଗତ ସୁବିଧା ଆଣିଥାଏ ଓ ଏହାର ଉଦାହରଣ ସ୍ବରୂପ ୨୦୧୬ରେ ଆସାମ ସରକାର ଗେଜେଟ ନୋଟିଫିକେସନ ମାଧ୍ୟମରେ ମଜୁଲି ସବଡିଭିଜନକୁ ଜିଲ୍ଲାର ମାନ୍ୟତା ଦେଇଥିଲେ ।  ପ୍ରଶାସନିକ ସୁବିଧା ପାଇଁ ଏହି ନିଷତ୍ତି ନିଆଯାଇଥିବା ଆସାମ ସରକାର ଦର୍ଶାଇଥିଲେ ।

  ଜିଲ୍ଲା ଗଠନରେ କେନ୍ଦ୍ର ସରକାରଙ୍କ ଭୂମିକା କଣ ରହିଥାଏ
ନୂଆ ଜିଲ୍ଲା ଗଠନ କରିବା କିମ୍ବା ଜିଲ୍ଲାରେ ପରିବର୍ତ୍ତନ କରିବା ନେଇ କେନ୍ଦ୍ର ସରକାରଙ୍କର ବିଶେଷ କିଛି ଭୂମିକା ନଥାଏ ।  ନୂଆ ଜିଲ୍ଲା ଗଠନ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଅଟନ୍ତି ।  ଗୃହ ମନ୍ତ୍ରାଳୟ ଭୂମିକା ସେତେବେଳେ ଆସେ ଯେତେବେଳେ ରାଜ୍ୟ ସରକାର ଜିଲ୍ଲା କିମ୍ବା ରେଳ ଷ୍ଟେସନର ନାଁ ପରିବର୍ତ୍ତନ କରିବାକୁ ଚାହାନ୍ତି ଓ ଏନେଇ ରାଜ୍ୟ ସରକାରଙ୍କ ଏକ ଅନୁରୋଧ ପତ୍ର କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ଏଜେନସିକୁ ଯାଇଥାଏ , ଯେପରିକି ଭୂବିଜ୍ଞାନ ମନ୍ତ୍ରାଳୟ, ଇନଟେଲିଜେନ୍ସ ବ୍ୟୁରୋ, ଡାକ ବିଭାଗ, ଜିଓ ଗ୍ରାଫିକାଲ ସର୍ଭେ ଅଫ ଇଣ୍ଡିଆ ଓ ରେଳ ମନ୍ତ୍ରାଳୟ ଇତ୍ୟାଦି ।  ଏହି ସବୁ କେନ୍ଦ୍ରୀୟ ଏଜେନିସିରୁ କେବଳ ରାଜ୍ୟ ସରକରାଙ୍କୁ କ୍ଲିୟରାନ୍ସ ନେବାକୁ ପଡିଥାଏ। କେନ୍ଦ୍ରୀୟ ସରକାରଙ୍କ ଉପରୋକ୍ତ ମନ୍ତ୍ରାଳୟ ଓ ଏଜେନ୍ସି ଏନେଇ ନୋ-ଅବଜେକସନ ସାର୍ଟିଫିକେଟ ଦେଇଥାନ୍ତି ।
ଜିଲ୍ଲା ଗଠନ ନେଇ ନବୀନଙ୍କ ଆଗରେ ଚ୍ୟାଲେଞ୍ଜ
ପଦ୍ମପୁର ଜିଲ୍ଲା ଗଠନ ନେଇ ନବୀନଙ୍କ ଆଗରେ ବଡ ଚ୍ୟାଲେଞ୍ଜ ହେଉଛି ସମୟ ଅଭାବ, ସମ୍ବଳ, ମାନବ ସମ୍ବଳ. ଭିତ୍ତିଭୂମି ଓ ନୂଆ ପ୍ରଶାନିକ ବ୍ୟବସ୍ଥା ତିଆରି କରିବା ।  ବର୍ତ୍ତମାନ ଓଡିଶାରେ ତିନୋଟି ରାଜସ୍ବ ଡିଭିଜନ, ୩୦ ଜିଲ୍ଲା, ୫୮ ସବଡିଭିଜନ୍, ୩୧୭ ତହସିଲ୍ ଓ ୩୧୪ ବ୍ଲକ ରହିଛି । ପଦ୍ମପୁରକୁ ଜିଲ୍ଲା ମାନ୍ୟତାକୁ ସବୁଜ ସଙ୍କେତ ମିଳିବା ମାତ୍ରେ ଆଉ ୧୦ଟି ସବ୍ ଡିଭିଜନରେ ଜିଲ୍ଲା ଗଠନ ଦାବି ତୀବ୍ର ହେବ ଓ ନୂଆ ଜିଲ୍ଲା ଗଠନ ଦାବି ନେଇ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ବସିଥିବା ସବଡିଭିଜନ ମଧ୍ୟରେ ରହିଛନ୍ତି ସୁନ୍ଦରଗଡ ଜିଲ୍ଲାର ରାଉରକେଲା, ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ରାୟଗଡା ଜିଲ୍ଲାର ଗୁଣୁପୁର, ଅନୁଗୁଳ ଜିଲ୍ଲାର ତାଳଚେର, ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଓ ସୋର, କଟକ ଜିଲ୍ଲାର ବାଙ୍କି, ଦେଓଗଡ ଜିଲ୍ଲାର ରିଆମାଳ, ନୟାଗଡ ଜିଲ୍ଲାର ଦଶପଲା ଶେଷରେ ଖୋର୍ଦ୍ଧା ଜିଲ୍ଲାର ଆସୁଥିବା ରାଜ୍ୟ ରାଜଧାନୀ ଭୁବନେଶ୍ବର ।

ବିଜୁ ପଟ୍ଟନାୟଙ୍କ ପରି ନବୀନ ନେବେକି ନିଷ୍ପତ୍ତି ?
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ୧୯୯୩ ମସିହାରେ ଓଡିଶାର ପ୍ରାଶାସନିକ ମାନଚିତ୍ର ବଦଳାଇ ସେତେବେଳର ଜିଲ୍ଲାସଂଖ୍ୟା ୧୩ରୁ ୩୦କୁ ବଢାଇଥିଲେ । ବିଜୁଙ୍କ ଦାୟଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେଭଳି ନିଷ୍ପତ୍ତି ନେଇ ପାରନ୍ତି । ମାତ୍ର ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହାର ପ୍ରଭାବ ଅନେକ କ୍ଷେତ୍ରରେ ପଡିବ । ପ୍ରଥମତ ଏହା ରାଜ୍ୟ ଉପରେ ଆର୍ଥିକ ଭାର ବଢାଇବା ଓ ଏହାସହ ନବୀନ ସରକାର ଏକ ସାମାଜିକ ଓ ରାଜନୈତିକ ଘୂର୍ଣିବଳୟ ମଧ୍ୟରେ ମଧ୍ୟ ଫସିପାରେ । ତେଣୁ ନିର୍ବାଚନୀ ବର୍ଷରେ ସରକାର ଏଭଳି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବେଶ ସତର୍କତା ଅବଲମ୍ବନ କରିବେ ନିଶ୍ଚୟ ଓ ତେବେ ରାଜ୍ୟ ରାଜନୀତିରେ ନିଜର ନିଷ୍ପତି ବଳରେ ନିଜ ସପକ୍ଷରେ ଜନମତକୁ ଅତୁଟ ରଖି ପାରୁଥିବା ନବୀନ ରାଜନୀତିର ପଶାପାଲିରେ ନୂଆ ଜିଲ୍ଲାଗଠନ ପ୍ରତିଶୃତିକୁ ଆଗାମୀ ଦିନରେ କିଭଳି ସୋକେସ କରିବେ, ସେହି ରୋଚକ ମୋଡ ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ ।