ପେସା ଅଧ୍ୟାପକ, କାମ ଠକେଇ: ନକଲି ଭିଜିଲାନ୍ସ ଅଧିକାରୀ କହି ଠିକାଦାରଙ୍କୁ ଲଗାଇଲେ ଚୂନ

224

କନକ ବ୍ୟୁରୋ: ପେଶା ଅଧ୍ୟାପକ । କିନ୍ତୁ ନିଶା ପରକୁ ଚୂନା ଲଗେଇବା । ଠିକାଦାରଙ୍କୁ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଅଧ୍ୟାପକ । ନକଲି ଭିଜିଲାନ୍ସ ଅଧିକାରୀ ହୋଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ ଅଧ୍ୟାପକ ମନୋଜ ମାଝୀ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ୭ ଲକ୍ଷ ୭୦ ହଜାର ଟଂକା ଚୁନା ଲଗାଇ ଦେଇଛନ୍ତି । ଠିକାଦାରଙ୍କୁ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଏହି ନକଲି ଭିଜିଲାନ୍ସ ଏସପି ।

ପେସାରେ ଜଣେ ଅଧ୍ୟାପକ । କିନ୍ତୁ ୟାଙ୍କ କାମ ଶୁଣିଲେ ଆପଣ ତାଜୁବ ହୋଇଯିବେ । ନିଜକୁ ଭିଜିଲାନ୍ସ ପରିଚୟ ଦେଇ ଲୋକଙ୍କୁ ବନାଉଥିଲେ ଭୂଆଁ । ହେଲେ ଏବେ ସେ ପୁଲିସ ହାତରେ ଧରାପଡ଼ିଛନ୍ତି । ଗିରଫ ଅଧ୍ୟାପକ ଜଣକ ହେଉଛନ୍ତି ମନୋଜ ମାଝି । ନିଜକୁ ଭିଜିଲାନ୍ସ ଏସ୍ପିର ପରିଚୟ ଦେଇ ଜଣେ ଠିକାଦାରଙ୍କ ଠାରୁ ୭ ଲକ୍ଷ ୭୦ ହଜାର ଟଙ୍କା ଚୂନା ଲଗାଇଥିବା ଅଭିଯୋଗ ହୋଇଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଭିଯୁକ୍ତ ଜଣକ ହେଉଛନ୍ତି ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜର ମନସ୍ତତ୍ୱ ବିଭାଗର ଅଧ୍ୟାପକ ।

ଅଭିଯୁକ୍ତ ମନୋଜ ମାଝି ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ରାୟଗଡ଼ାର ଠିକାଦାର ମନୋଜ ଚୌଧୁରୀଙ୍କୁ ଯୋଗାଯୋଗ କରିଥିଲେ । ବିଭିନ୍ନ ସ୍ଥାନରେ ଭିଜିଲାନ୍ସ କାର୍ଯ୍ୟାଳୟ ନିର୍ମାଣ ହେବ ବୋଲି ଠିକାକାରଙ୍କୁ କହିଥିଲେ ମନୋଜ । । ଠିକାଦାରଙ୍କୁ କାମ ଦେବା ପାଇଁ ୧୦ ଲକ୍ଷ ଟଙ୍କା ଲାଂଚ ମାଗିଥିଲେ । ଏପରିକି ବିଶ୍ୱାସ ଜନ୍ମାଇବା ପାଇଁ କିଛି କାଗଜପତ୍ର ମଧ୍ୟ ଦେଇଥିଲେ । ଏହାପରେ ପ୍ରଥମେ ୫ଲକ୍ଷ ଟଙ୍କା ଏବଂ ପରେ ୨ଲକ୍ଷ ୫୦ ହଜାର ଟଂକା ପଠାଇଥିଲେ ଠିକାଦାର । ଟଙ୍କା ନେବା ପରେ ଆଉ ଧରା ଛୁଆଁ ଦେଇନଥିଲେ ମନୋଜ ମାଝୀ । ତେବେ ଗତବର୍ଷ ମେ ୩୧ ତାରିଖରେ ମନୋଜ ଚୌଧୁରୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସାଇବର ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୂର୍ବରୁ ଅଭିଯୁକ୍ତ ମନୋଜଙ୍କ ନାମରେ ଟଙ୍କା ଠକେଇ ନେଇ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖାରେ ୫ଟି ମାମଲା ସହ ଗଂଜାମ, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି । ମନୋଜଙ୍କ ଠାରୁ ନଗଦ ୨ ଲକ୍ଷ ୬୦ ହଜାର ଟଙ୍କା, ଗୋଟିଏ ମୋବାଇଲ, ୬ଟି ଏଟିଏମ କାର୍ଡ ଜବତ କରିଛି ପୁଲିସ ।