କନକ ବ୍ୟୁରୋ: ଭାରତରେ ଆରମ୍ଭ ହେଲା ସ୍ପୁଟନିକ ଭି ଟିକାର ଉତ୍ପାଦନ । ଭାରତୀୟ କମ୍ପାନୀ ପାନାସିଆ ବାୟୋଟେକ ସ୍ପୁଟନିକ-ଭି ଟିକା ଉତ୍ପାଦନ ଆରମ୍ଭ କରିଛି । ଏହା ବର୍ଷକୁ ୧୦ କୋଟି ଟିକା ଉତ୍ପାଦନ କରିବ । ଜରୁରୀକାଳୀନ ବ୍ୟବହାର ପାଇଁ ଏପ୍ରିଲ ୧୨ରେ ସ୍ପୁଟନିକ-ଭି ଟିକାକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । ମେ ୧୪ରେ ଭାରତରେ ଏହାର ବ୍ୟବହାର ଆରମ୍ଭ ହୋଇଛି । ରୁଷରୁ ୩ ମାସ ମଧ୍ୟରେ ୧ କୋଟି ୮ ଲକ୍ଷ ଟିକା ଭାରତ ଅଣାଯିବାକୁ ଯୋଜନା ରହିଛି ।
ଚଳିତମାସ ୩୦ ଲକ୍ଷ, ଜୁନରେ ୫୦ ଲକ୍ଷ ଓ ଜୁଲାଇରେ ୧ କୋଟି ଟିକା ରୁଷରୁ ଭାରତ ଅଣାଯିବାର ଯୋଜନା ରହିଛି । ତେବେ ଏହି ଟିକା ଠିକ୍ ସମୟରେ ପହଂଚିପାରିବ କି ନାହିଁ ସେ ନେଇ ସନ୍ଦେହ ଉପୁଜିଛି । କାରଣ ବିଶ୍ୱର ବିଭିନ୍ନ ଦେଶ ସ୍ପୁଟନିକ ଭି ଟିକା ପାଇଁ ରୁଷକୁ ଅନୁରୋଧ କରିଛନ୍ତି । ଭାରତୀୟ କମ୍ପାନୀ ଡକ୍ଟର ରେଡ୍ଡି ଲାବରୋଟୋରୀ ରୁଷ୍ ସଂସ୍ଥା ଆରଆଇଡିଏଫ ସହ ଚୁକ୍ତି କରିଛି । ଏହି ଚୁକ୍ତି ଅନୁସାରେ ଭାରତରେ ସ୍ପୁଟନିକ-ଭି ଟିକାର ବଂଟନ କରିବ ଡକ୍ଟର ରେଡ୍ଡି ଲାବରୋଟୋରୀ । ୬୬ଟି ଦେଶରେ ଏହି ଟିକାକୁ ଅନୁମତି ମିଳିଛି । ଏହି ଟିକା ୯୦ ପ୍ରତିଶତରୁ ଅଧିକ ଫଳପ୍ରଦ ବୋଲି ଟିକା ପ୍ରସ୍ତୁତକାରୀ ସଂସ୍ଥା ଦାବି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/download-1.jpg)