କୋଣାର୍କରୁ ବାଲି କାଢିବା ପ୍ରକ୍ରିୟା ଆରମ୍ଭ। ମନ୍ଦିର ବେଢାରେ ଲିଫ୍ଟ ପାଇଁ ପଡିଲା ମୂଳଦୁଆ।

382

କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରେ ଥିବା ୧୨୦ ବର୍ଷ ପୁରୁଣା ବାଲି କାଢିବା ପ୍ରକ୍ରିୟା ଆରମ୍ଭ ପୂର୍ବରୁ ପୂଜାର୍ଚ୍ଚନା ହୋଇଛି । ମନ୍ଦିର ବେଢାରେ ସ୍ଥାନ ଚିହ୍ନଟ କରାଯାଇ ଲିଫ୍ଟ ପାଇଁ ମୂଳଦୁଆ କାମ ଆରମ୍ଭ ହୋଇଛି । ସେହିପରି ଗୋଟିଏ ବଡ ଲୁହା ବିମକୁ କୋଣାର୍କ ମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ଲଗାଯାଇଛି । ଆଗକୁ ଏଠାରେ ଆହୁରି ୩ଟି ବିମ ଲାଗିବ ବୋଲି ସୂଚନା ମିଳିଛି । ଏହାଛଡା ଏଏସଆଇ ଓ ବିଡିଆର ନିର୍ମାଣ ବିଭାଗ ପକ୍ଷରୁ ଉତ୍ତର-ପଶ୍ଚିମ କୋଣରେ ରାସ୍ତା ନିର୍ମାଣ କାମ ଚାଲିଛି ।

ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ କୋଣାର୍କ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ୧୯୦୩ ମସିହାରେ ବାଲି ଭର୍ତି କରାଯାଇ ଜଗମୋଗନ ଦ୍ୱାରକୁ ବନ୍ଦ କରିଦିଆଯାଇଛି । ହେଲେ ଭିତରେ ବାଲି ଦବିଯାଇଥିବାରୁ ଢାଂଚା ପ୍ରତି ବିପଦ ଦେଖାଦେବାରୁ ଏବେ ସଂସ୍କୃତି ମନ୍ତ୍ରାଳୟର ଅନୁମତି କ୍ରମେ ବାଲି କାଢିବା କାମ ଆରମ୍ଭ ହୋଇଛି ।

ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି ବାହାର କରିବା ନେଇ ଗତ ସେପ୍ଟେମ୍ବର ୮ରୁ ଏଏସଆଇ ପକ୍ଷରୁ କାମ ଆରମ୍ଭ ହୋଇଛି । କୋଣାର୍କ ମନ୍ଦିର ଗର୍ଭଗୃହ ଓ ୩ ଦ୍ୱାରରେ ୧୨୦ବର୍ଷ ପୁରୁଣା ବାଲିକୁ କାଢିବା ପାଇଁ ବିଶେଷଜ୍ଞ ଓ ବିଶିଷ୍ଟ ପ୍ରତ୍ନତତ୍ୱବିତଙ୍କ ପରାମର୍ଶରେ ଆଗକୁ ବଢୁଛି ଏଏସଆଇ । ମନ୍ଦିର ବେଢାରେ ପ୍ଲାଟଫର୍ମ ତିଆରି ସରିବା ପରେ ଗର୍ଭଗୃହରୁ ବାଲି କଢା ଆରମ୍ଭ ହେବ ।

କେମିତି କଢାଯିବ ବାଲି?
ଗର୍ଭଗୃହରୁ ହାତରେ ବାଲି କଢାଯିବ
ବାଲି କାଢିବା ବେଳେ ମନ୍ଦିରର ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ
ସ୍ୱତନ୍ତ୍ର ଲିଫ୍ଟରେ ବାଲିକୁ ସୁରକ୍ଷିତ ଭାବେ ମନ୍ଦିରର ପାଦଦେଶକୁ ଅଣାଯିବ
ପାଦଦେଶରୁ ବାଲି ପାଇପରେ ଯାଇ ଉତ୍ତର-ପଶ୍ଚିମ କୋଣରେ ପଡିବ
କାମ ବେଳେ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରତି ଧ୍ୟାନ ଦିଆଯିବ
ଗର୍ଭଗୃହ ଓ ତିନି ଦ୍ୱାରରୁ ବାଲି ବାହାର କରିବାକୁ ୩ ବର୍ଷ ଲାଗିଯିବ
ବାଲି ନିଷ୍କାସନ ସରିବା ପରେ ଜଗମୋହନ ଦ୍ୱାର ଖୋଲାଯିବ

ଗତ ସେପ୍ଟେମ୍ବର ୧୬ ତାରିଖରେ ଆମିକସ କ୍ୟୁରୀ ନଗେନ୍ଦ୍ର ମହାନ୍ତି ସୂର୍ଯ୍ୟମନ୍ଦିର ବୁଲି ଦେଖିବା ପରେ କହିଥିଲ୍୍େ, ମନ୍ଦିରରୁ ବାଲି କଢାଗଲେ ମନ୍ଦିରର କିଛି କ୍ଷତି ହେବ ନାହିଁ । ଏହା ପରେ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ କାମ ଆରମ୍ଭ କରିଛି ପ୍ରତ୍ନତତ୍ତ୍ୱ ବିଭାଗ ।

କୋଣାର୍କ ସୂର୍ଯ୍ୟମନ୍ଦିରର ବାହାର ପଟର କାରୁକାର୍ଯ୍ୟ ଦେଖି ସାରା ବିଶ୍ୱ ବିମୋହିତ ହୋଇଥିବା ବେଳେ ମନ୍ଦିରର ଭିତରେ କ’ଣ ଅଛି, ତାହା କେହି ଦେଖିନାହାନ୍ତି । ବାଲି ବାହାର କରିବା ପରେ ବିଶ୍ୱପ୍ରସିଦ୍ଧ ଏହି ସୂର୍ଯ୍ୟମନ୍ଦିରର ରହସ୍ୟ ସମସ୍ତଙ୍କ ସାମ୍ନାକୁ ଆସିବ ।