ଆରମ୍ଭ ହେଲା କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା। ପ୍ରଥମ ଦିନରେ କଂଗ୍ରେସ ହେଡକ୍ୱାର୍ଟରରୁ ନାମାଙ୍କନ ଫର୍ମ ନେଲେ ଶଶି ଥରୁରଙ୍କ ଘନିଷ୍ଠ। 

Advertisment
ଆରମ୍ଭ ହେଲା କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା। ପ୍ରଥମ ଦିନରେ କଂଗ୍ରେସ ହେଡକ୍ୱାର୍ଟରରୁ ନାମାଙ୍କନ ଫର୍ମ ନେଲେ ଶଶି ଥରୁରଙ୍କ ଘନିଷ୍ଠ। 

କନକ ବ୍ୟୁରୋ: ଆଜିଠାରୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହୋଇଛି ନାମାଙ୍କନ । କିଏ ପ୍ରାର୍ଥୀ ହେବ ତାକୁ ନେଇ ବହୁ ନେତାଙ୍କ ନାଁ ସାମ୍ନାକୁ ଆସିଥିଲେ ବି କିଏ ନାମାଙ୍କନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । କିନ୍ତୁ ଅଣଗାନ୍ଧୀ ଚେହେରା ହିଁ କଂଗ୍ରେସର ନୂଆ ସଭାପତି ହେବେ, ଏ ଆକଳନ ସ୍ପଷ୍ଟ ହୋଇସାରିଛି । ତେବେ ଏହି ଧାଡିରେ ସବୁଠାରୁ ଆଗରେ ଅଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଶଶି ଥରୁର । କୁହାଯାଉଛି କି ରାହୁଲ ଗାନ୍ଧୀ ନିର୍ବାଚନରେ ନ ଲଢିବା ନେଇ ସ୍ପଷ୍ଟ କରିବା ପରେ ଏହି ଦୁଇ ଚେହେରାଙ୍କ ମଧ୍ୟରେ ଲଢେଇ ହେବ । ଆସନ୍ତୁ ଜାଣିବା ଅଶୋକ ଗେହଲଟଙ୍କ ବିଷୟରେ ଅଧିକ ତଥ୍ୟ ।

- ସୋନିଆଙ୍କ ଘନିଷ୍ଠ ଅଟନ୍ତି ଗେହଲଟ 

- ୩ ଥର ମୁଖ୍ୟମନ୍ତ୍ରୀ ହୋଇସାରିଲେଣି ଗେହଲଟ

- ବର୍ତ୍ତମାନ ମଧ୍ୟ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଛନ୍ତି 

- ଇନ୍ଦିରାଙ୍କ ସମୟରେ ହୋଇଥିଲେ ‘ରାଜସ୍ଥାନ ଏନଏସୟୁଆଇ’ର ସଭାପତି 

- ୧୯୭୭ ରେ ପ୍ରଥମ ବିଧାନସଭା ନିର୍ବାଚନ ଲଢି ପରାସ୍ତ ହୋଇଥିଲେ

- ୧୯୮୦ରେ ଯୋଧପୁରରୁ ସାଂସଦ ରୂପେ ହେଲେ ନିର୍ବାଚିତ

- ୨୦୦୪ ଓ ୨୦୧୮ରେ କଂଗ୍ରେସର ମହାସଚିବ ଭାବେ ନିଯୁକ୍ତ  

- ଦୀର୍ଘ ୫୦ ବର୍ଷ ଧରି ରାଜନୀତି ସହ ଜଡିତ ଅଛନ୍ତି ଗେହଲଟ

ସେହିପରି ଅଶୋକ ଗେହେଲୋଟଙ୍କ ପରେ ଶଶୀ ଥରୁରଙ୍କ ନାଁ ବେଶ୍ ଚର୍ଚ୍ଚାରେ ରହିଛି । ଏମିତିକି କଂଗ୍ରେସ ପାର୍ଟି ହେଡକ୍ୱାର୍ଟରରୁ କଂଗ୍ରେସ ନେତା ଶଶି ଥରୁରଙ୍କ ଘନିଷ୍ଠ ଆଲିମ ଜାଭେରୀ ନାମାଙ୍କନ ପତ୍ର ଫର୍ମ କଂଗ୍ରେସ ପାର୍ଟି ହେଡକ୍ୱାର୍ଟରରୁ ଗ୍ରହଣ କରିଛନ୍ତି । ନିକଟରେ କଂଗ୍ରେସର ସଭାପତି ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ଶଶି ଥରୁରଙ୍କ ସହ ଆଉ କିଛି ନେତା । ତେବେ ଅଶୋକ ଗେହଲଟଙ୍କ ସହ ଶଶି ଥରୁରଙ୍କୁ ତୁଳନା କଲେ, ଅପେକ୍ଷାକୃତ କମ୍ ରାଜନୀତି ଅଭିଜ୍ଞତା ଓ ଅନୁଭବ ରହିଛି ।

- ଶଶି ଥରୁର ଏବେ କେରଳରୁ କଂଗ୍ରେସ ସାଂସଦ ଅଛନ୍ତି 

- ୨୦୦୯ରେ କେରଳର ଥିରୁଅନନ୍ତପୁରମରୁ ସାଂସଦ ରୂପେ ହୋଇଥିଲେ ନିର୍ବାଚିତ

- ୧ ଲକ୍ଷ ଭୋଟ ବ୍ୟବଧାନରେ ହୋଇଥିଲେ ବିଜୟ 

- ରାଜନେତା ସହ ଏକାଧାରରେ ଜଣେ କୁଟନୀତିଜ୍ଞ, ଲେଖକ, ବକ୍ତା 

- କେନ୍ଦ୍ରମନ୍ତ୍ରୀ ରୂପେ ତୁଲାଇ ସାରିଛନ୍ତି ଦାୟିତ୍ୱ 

- ପୂର୍ବରୁ କଂଗ୍ରେସକୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଛନ୍ତି

- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଅତୀତରେ କରିଥିଲେ ପ୍ରଶଂସା 

- ଟ୍ୱିଟରରେ ସବୁଠାରୁ ଅଧିକ ସକ୍ରିୟ ରହୁଥିବା ନେତା 

ଉଭୟ ଅଶୋକ ଗେହଲଟ୍ ଓ ଶଶି ଥରୁର ରାଜନୀତିରେ ବେଶ୍ ପରିପକ୍ୱ । ଏମିତିକି ଉଭୟ ନିକଟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ । ଏହି ପରିସ୍ଥିତିରେ ସୋନିଆ ଗାନ୍ଧିି ନିଜର ଭୁମିକା ନିରପେକ୍ଷ ରହିବ ବୋଲି ମତ ଦେଇସାରିଛନ୍ତି । ତେବେ ଗାନ୍ଧୀ ପରିବାରର ସମର୍ଥନ ଯିଏ ପାଇବ ସେ ହିଁ ନୁଆ ସଭାପତି ହେବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ପୂବାନୁମାନ କରିଛନ୍ତି ।

ଦୀର୍ଘ ୨ ଦଶନ୍ଧି ପରେ କଂଗ୍ରେସ ନୁଆ ସଭାପତି ଦେଖିବାକୁ ଯାଉଛି । ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୩୦ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ଅକ୍ଟୋବର ୮ ରହିଛି । ଯଦି ଏକରୁ ଅଧିକ ନାମାଙ୍କନପତ୍ର ଦାଖଲ ହୁଏ ତାହେଲେ ଅକ୍ଟୋବର ୧୭ରେ ନିର୍ବାଚନ ହେବ । ଅକ୍ଟୋବର ୧୯ରେ ଫଳାଫଳ ପ୍ରକାଶ ପାଇବ । ଯାହାକୁ ନେଇ ଦଳୀୟକର୍ମୀଙ୍କ ମାହୋଲରେ ମଧ୍ୟ ନୁଆ ଉତ୍ସାହ ଦେଖାଯାଇଛି । ଦୀର୍ଘ ବର୍ଷ ଧରି ଗାନ୍ଧୀ ପରିବାର କବଳରେ ଥିବା ଏହି ପଦକୁ କେଉଁ ଅଣଗାନ୍ଧୀ ପାଉଛନ୍ତି ତା ଉପରେ ଜାତୀୟ ରାଜନୀତି ସରଗରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe