ଆରମ୍ଭ ହେଲା କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା। ପ୍ରଥମ ଦିନରେ କଂଗ୍ରେସ ହେଡକ୍ୱାର୍ଟରରୁ ନାମାଙ୍କନ ଫର୍ମ ନେଲେ ଶଶି ଥରୁରଙ୍କ ଘନିଷ୍ଠ। 

85

କନକ ବ୍ୟୁରୋ: ଆଜିଠାରୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହୋଇଛି ନାମାଙ୍କନ । କିଏ ପ୍ରାର୍ଥୀ ହେବ ତାକୁ ନେଇ ବହୁ ନେତାଙ୍କ ନାଁ ସାମ୍ନାକୁ ଆସିଥିଲେ ବି କିଏ ନାମାଙ୍କନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । କିନ୍ତୁ ଅଣଗାନ୍ଧୀ ଚେହେରା ହିଁ କଂଗ୍ରେସର ନୂଆ ସଭାପତି ହେବେ, ଏ ଆକଳନ ସ୍ପଷ୍ଟ ହୋଇସାରିଛି । ତେବେ ଏହି ଧାଡିରେ ସବୁଠାରୁ ଆଗରେ ଅଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଶଶି ଥରୁର । କୁହାଯାଉଛି କି ରାହୁଲ ଗାନ୍ଧୀ ନିର୍ବାଚନରେ ନ ଲଢିବା ନେଇ ସ୍ପଷ୍ଟ କରିବା ପରେ ଏହି ଦୁଇ ଚେହେରାଙ୍କ ମଧ୍ୟରେ ଲଢେଇ ହେବ । ଆସନ୍ତୁ ଜାଣିବା ଅଶୋକ ଗେହଲଟଙ୍କ ବିଷୟରେ ଅଧିକ ତଥ୍ୟ ।

– ସୋନିଆଙ୍କ ଘନିଷ୍ଠ ଅଟନ୍ତି ଗେହଲଟ 

– ୩ ଥର ମୁଖ୍ୟମନ୍ତ୍ରୀ ହୋଇସାରିଲେଣି ଗେହଲଟ

– ବର୍ତ୍ତମାନ ମଧ୍ୟ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଛନ୍ତି 

– ଇନ୍ଦିରାଙ୍କ ସମୟରେ ହୋଇଥିଲେ ‘ରାଜସ୍ଥାନ ଏନଏସୟୁଆଇ’ର ସଭାପତି 

– ୧୯୭୭ ରେ ପ୍ରଥମ ବିଧାନସଭା ନିର୍ବାଚନ ଲଢି ପରାସ୍ତ ହୋଇଥିଲେ

– ୧୯୮୦ରେ ଯୋଧପୁରରୁ ସାଂସଦ ରୂପେ ହେଲେ ନିର୍ବାଚିତ

– ୨୦୦୪ ଓ ୨୦୧୮ରେ କଂଗ୍ରେସର ମହାସଚିବ ଭାବେ ନିଯୁକ୍ତ  

– ଦୀର୍ଘ ୫୦ ବର୍ଷ ଧରି ରାଜନୀତି ସହ ଜଡିତ ଅଛନ୍ତି ଗେହଲଟ

ସେହିପରି ଅଶୋକ ଗେହେଲୋଟଙ୍କ ପରେ ଶଶୀ ଥରୁରଙ୍କ ନାଁ ବେଶ୍ ଚର୍ଚ୍ଚାରେ ରହିଛି । ଏମିତିକି କଂଗ୍ରେସ ପାର୍ଟି ହେଡକ୍ୱାର୍ଟରରୁ କଂଗ୍ରେସ ନେତା ଶଶି ଥରୁରଙ୍କ ଘନିଷ୍ଠ ଆଲିମ ଜାଭେରୀ ନାମାଙ୍କନ ପତ୍ର ଫର୍ମ କଂଗ୍ରେସ ପାର୍ଟି ହେଡକ୍ୱାର୍ଟରରୁ ଗ୍ରହଣ କରିଛନ୍ତି । ନିକଟରେ କଂଗ୍ରେସର ସଭାପତି ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ଶଶି ଥରୁରଙ୍କ ସହ ଆଉ କିଛି ନେତା । ତେବେ ଅଶୋକ ଗେହଲଟଙ୍କ ସହ ଶଶି ଥରୁରଙ୍କୁ ତୁଳନା କଲେ, ଅପେକ୍ଷାକୃତ କମ୍ ରାଜନୀତି ଅଭିଜ୍ଞତା ଓ ଅନୁଭବ ରହିଛି ।

– ଶଶି ଥରୁର ଏବେ କେରଳରୁ କଂଗ୍ରେସ ସାଂସଦ ଅଛନ୍ତି 

– ୨୦୦୯ରେ କେରଳର ଥିରୁଅନନ୍ତପୁରମରୁ ସାଂସଦ ରୂପେ ହୋଇଥିଲେ ନିର୍ବାଚିତ

– ୧ ଲକ୍ଷ ଭୋଟ ବ୍ୟବଧାନରେ ହୋଇଥିଲେ ବିଜୟ 

– ରାଜନେତା ସହ ଏକାଧାରରେ ଜଣେ କୁଟନୀତିଜ୍ଞ, ଲେଖକ, ବକ୍ତା 

– କେନ୍ଦ୍ରମନ୍ତ୍ରୀ ରୂପେ ତୁଲାଇ ସାରିଛନ୍ତି ଦାୟିତ୍ୱ 

– ପୂର୍ବରୁ କଂଗ୍ରେସକୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଛନ୍ତି

– ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଅତୀତରେ କରିଥିଲେ ପ୍ରଶଂସା 

– ଟ୍ୱିଟରରେ ସବୁଠାରୁ ଅଧିକ ସକ୍ରିୟ ରହୁଥିବା ନେତା 

ଉଭୟ ଅଶୋକ ଗେହଲଟ୍ ଓ ଶଶି ଥରୁର ରାଜନୀତିରେ ବେଶ୍ ପରିପକ୍ୱ । ଏମିତିକି ଉଭୟ ନିକଟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ । ଏହି ପରିସ୍ଥିତିରେ ସୋନିଆ ଗାନ୍ଧିି ନିଜର ଭୁମିକା ନିରପେକ୍ଷ ରହିବ ବୋଲି ମତ ଦେଇସାରିଛନ୍ତି । ତେବେ ଗାନ୍ଧୀ ପରିବାରର ସମର୍ଥନ ଯିଏ ପାଇବ ସେ ହିଁ ନୁଆ ସଭାପତି ହେବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ପୂବାନୁମାନ କରିଛନ୍ତି ।

ଦୀର୍ଘ ୨ ଦଶନ୍ଧି ପରେ କଂଗ୍ରେସ ନୁଆ ସଭାପତି ଦେଖିବାକୁ ଯାଉଛି । ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୩୦ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ଅକ୍ଟୋବର ୮ ରହିଛି । ଯଦି ଏକରୁ ଅଧିକ ନାମାଙ୍କନପତ୍ର ଦାଖଲ ହୁଏ ତାହେଲେ ଅକ୍ଟୋବର ୧୭ରେ ନିର୍ବାଚନ ହେବ । ଅକ୍ଟୋବର ୧୯ରେ ଫଳାଫଳ ପ୍ରକାଶ ପାଇବ । ଯାହାକୁ ନେଇ ଦଳୀୟକର୍ମୀଙ୍କ ମାହୋଲରେ ମଧ୍ୟ ନୁଆ ଉତ୍ସାହ ଦେଖାଯାଇଛି । ଦୀର୍ଘ ବର୍ଷ ଧରି ଗାନ୍ଧୀ ପରିବାର କବଳରେ ଥିବା ଏହି ପଦକୁ କେଉଁ ଅଣଗାନ୍ଧୀ ପାଉଛନ୍ତି ତା ଉପରେ ଜାତୀୟ ରାଜନୀତି ସରଗରମ ରହିଛି ।