ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା । କେନ୍ଦ୍ର ଦେଇଥିବା ଭେନଟିଲେଟର ଅବ୍ୟବହୃତ ହୋଇ ରହୁଥିବାରୁ ଉଦବେଗ ପ୍ରକାଶ ।

266

କନକ ବ୍ୟୁରୋ: ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବରିଷ୍ଠ ଅଧିକାରୀଙ୍କ ସହିତଦେଶରେ କିପରି ରହିଛି କରୋନା ମୁକାବିଲାର ସ୍ଥିତି ସେନେଇ ଶନିବାର ପ୍୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି । ଦେଶରେ ଟିକାକରଣ ନେଇ ଦେଖା ଦେଇଥିବା ସ୍ଥିତି ସମ୍ପର୍କରେ ପଚାରିବୁଝିଥିଲେ ପ୍ରଧାନମନ୍ତ୍ରୀ । ବର୍ତମାନ ଦେଶରେ ସପ୍ତାହକୁ ଟେଷ୍ଟିଂ ସଂଖ୍ୟା ୫୦ ଲକ୍ଷରୁ ବୃଦ୍ଧି ହୋଇ ଏକ କୋଟି ୩୦ ଲକ୍ଷରେ ପହଁଚି ଗଲାଣି ।

ତେବେ ବର୍ତମାନ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଗ୍ରାମାଂଚଳ ଗୁଡିକର ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ହେବ ବୋଲି ପରାମର୍ଶ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଗ୍ରାମାଂଚଳ ଗୁଡିକରେ ଅଧିକ ପରିମାଣର ଟେଷ୍ଟିଂ କରାଯିବା ସହିତ ସ୍ଥାନୀୟ ଅଂଚଳକୁ କଂଟେଂଟମେଂଟ ଜୋନ୍ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଗ୍ରାମାଂଚଳରେ ଟିକା ଦେବାକୁ ସେ ଗୁରୁତ୍ୱ ଦେଇଛନ୍ତି । ସେହିପରି କେନ୍ଦ୍ର ଦେଇଥିବା ଭେନଟିଲେଟର ଅବ୍ୟବହୃତ ହୋଇ ରହୁଥିବାରୁ ଉଦବେଗ ପ୍ରକାଶ କରିଛନ୍ତି । କେନ୍ଦ୍ର ଦେଇଥିବା ଭେନଟିଲେଟର ଗୁଡିକର ଅଡିଟ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ବିଭିନ୍ନ ଡାକ୍ତରଖାନା ଗୁଡିକରେ ଅକ୍ସିଜେନ୍ ଅଭାବରୁ ରୋଗୀ ଆଖି ବୁଜୁଥିବା ଖବର ଆସିବା ଭିତରେ କିଛି ଦିନତଳେ ଭେନଟିଲେଟର ବ୍ୟବହାର ନହୋଇ ପଡି ରହିଥିବା ଚିତ୍ର ବି ଆସିଥିଲା ।

ଏହାରି ଭିତରେ ଭେନଟିଲେଟର ଗୁଡିକର ଅଡିଟ୍ କରାଇ ଏହାକୁ କେତେମାତ୍ରାରେ ବ୍ୟବହାର କରାଯାଉଛି ସେ ନେଇ ରିପୋର୍ଟ ମାଗିଛନ୍ତି ପ୍ରଧାନମନ୍ତ୍ରୀ । ଗ୍ରାମାଂଚଳରେ କରୋନା ବ୍ୟାପୁଥିବାରୁ ଘରକୁ ଘର ବୁଲି ଟେଷ୍ଟିଂ ଓ ସରଭେଲାନସ ଉପରେ ଜୋର ଦେଇଛନ୍ତି ପ୍୍ରଧାନମନ୍ତ୍ରୀ । ଗ୍ରାମାଂଚଳରେ ଏହି ଟିକାକରଣ ଓ ସଂକ୍ରମିତଙ୍କୁ ଚିହ୍ନଟ କ୍ଷେତ୍ରରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଅଧିକ ସଶକ୍ତ କରିବାକୁ ମୋଦୀ ପରାମର୍ଶ ରଖିଛନ୍ତି ।