ଆଜି ୩ଟି ସହର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ : ସିରମ ଇନଷ୍ଟିଚ୍ୟୁଟ ସହ ଭାରତ ବାୟୋଟେକ୍ ଓ ଜାଇଡସ୍ ବାୟୋଟେକ୍ ଟିକା ପ୍ରସ୍ତୁତିର କରିବେ ଅନୁଧ୍ୟାନ

67

କନକ ବ୍ୟୁରୋ : କୋଭିଡ୍ ଟିକା ପ୍ରସ୍ତୁତି ପ୍ରକ୍ରିୟା ତଦାରଖ କରିବାକୁ ଆଜି ୩ଟି ସହର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ପ୍ରଧାନମନ୍ତ୍ରୀ ଅହମଦାବାଦ, ହାଇଦ୍ରାବାଦ ଓ ପୁନେ ଗସ୍ତ କରିବେ । ଅହମଦାବାଦରେ ଜାଇଡସ୍ ବାୟୋଟେକ୍ ପାର୍କ ଥିବା ବେଳେ ହାଇଦ୍ରାବାଦରେ ଭାରତ ବାଇଓଟେକ୍ ଟିକା ପ୍ରସ୍ତୁତି କରୁଛି । ସେହିପରି ପୁନେରେ ସିରମ ଇନଷ୍ଟିଚ୍ୟୁଟର ଟିକା ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି । ମୋଦୀ ଏହି ସବୁ ଜାଗାକୁ ଯାଇ ଟିକା ପ୍ରସ୍ତୁତି କରଣ ଓ ପ୍ରକ୍ରିୟାର ଅଗ୍ରଗତି ବିଷୟରେ ଅନୁଧ୍ୟାନ କରିବେ । ଏନେଇ ପିଏମଓ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଦେଶରେ କରୋନା ଟିକା ପ୍ରସ୍ତୁତି ପାଇଁ ଏହି ସବୁ ସଂସ୍ଥା ଜୋରସୋରରେ ଲାଗିପଡ଼ିଛନ୍ତି । ସିରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନିକା ସହ ମିଶି କରୋନା ଟିକା ପ୍ରସ୍ତୁତ କରୁଛି । ସିରମ ଇନଷ୍ଟିଚ୍ୟୁଟରେ ବିଶ୍ୱରେ ସବୁଠୁ ଅଧିକ ପରିମାଣରେ ଟିକା ପ୍ରସ୍ତୁତ କରିଥାଏ । ସେହପିରି ଆଇସିଏମଆର ସହ ମିଶି ସ୍ୱଦେଶୀ କରୋନା ଟିକା ପ୍ରସ୍ତୁତିରେ ଲାଗିପଡ଼ିଛି ଭାରତ ବାଇଓଟେକ । ପୂର୍ବରୁ ନଭେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତି ଓ ପରିଚାଳନା ନେଇ ଆଲୋଚନା କରିଥିଲେ । ଟିକା ଆସିଲେ ଏହାର ସୁବିତରଣ ନେଇ ପ୍ରସ୍ତୁତ ରହିବାକୁ ଏଥିରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।