ଜୁନ୍ ୨୨ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ: ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି କରିବେ ଆଲୋଚନା

102

କନକ ବ୍ୟୁରୋ: ହ୍ୱାଇଟ୍ ହାଉସ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି କରିବେ ଆଲୋଚନା । ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଯିବା ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦେଶ ମୁଖ୍ୟଙ୍କ ଆଲୋଚନା ଉଭୟ ଦେଶର ସମ୍ପର୍କକୁ ଆହୁରୀ ମଜଭୁତ କରିବ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି । ଜୁନ ୨୨ ତାରିଖରେ ବାଇଡେନ ଓ ଆମେରିକାର ପ୍ରଥମ ମହିଳାଙ୍କ ସହ ରାତ୍ରୀ ଭୋଜନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ହ୍ୱାଇଟ୍ ହାଉସ ପ୍ରେସ୍ ସେକ୍ରେଟାରୀ ଏନେଇ ସୂଚନା ଦେଇଛନ୍ତି । ବିଶ୍ୱର ଦୁଇ ବୃହତ ଗଣତାନ୍ତ୍ରିକ ଦେଶର ନେତାଙ୍କ ଭେଟଘାଟକୁ ନେଇ ବିଶ୍ୱସ୍ତରରେ ଆଲୋଚନା ହେଉଛି । ଚୀନ ସହ ବିବାଦ ଯୋଗୁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଦିନକୁ ଦିନ ସୁଦୃଢ ହେଉଥିବା କୁହାଯାଉଛି । ପ୍ରଶାନ୍ତ ମହାସାଗରରେ ଚୀନ ଚଳାଇଥିବା ମନମାନୀ ଉପରେ ରୋକ ଲଗାଇବାକୁ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ ବୋଲି ସୂଚନା ମଳିଛି । ସେପଟେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତ ନିଜର ଆଭିମୂଖ୍ୟ ନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ଜୁନ୍ ୨୧ରୁ ଜୁନ ୨୫ ୫ ଦିନିଆ ଗସ୍ତରେ ମୋଦୀ ଯିବେ ବୋଲି ସୂଚନା ମଳିଛି ।