କନକ ବ୍ୟୁରୋ: ଖୁବ୍ ଶୀଘ୍ର ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଳାଇପାରନ୍ତି ନବୀନ ପଟ୍ଟନାୟକ । ୨୦୧୯ ନିର୍ବାଚନରେ ଏକ ସ୍ୱତନ୍ତ୍ର ବସ୍ ଯୋଗେ ସାରା ରାଜ୍ୟରେ ବୁଲୁଥିଲେ ମୁଖ୍ୟମନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ଶେଷ ଆଡ଼କୁ ସମାନ ଢଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିପାରନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡ଼ିଶାରେ ପ୍ରଚାର କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ।

ଧୀରେ ଧୀରେ ସରଗରମ ହେଉଛି ରାଜ୍ୟ ରାଜନୀତି । ନିର୍ବାଚନ ପ୍ରଚାରକୁ ଜୋରଦାର କରିବାକୁ ପ୍ରସ୍ତୁତ ହେଉଛନ୍ତି ଉଭୟ ବିଜେଡି-ବିଜେପି । ଦଳର ଷ୍ଟାର କ୍ୟାମ୍ପେନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଓଡ଼ିଶା ଆସି ପ୍ରଚାର କରିବେ ବୋଲି କହିଛନ୍ତି ବିଜେପି ନେତା । ସେହିପରି ଏହି ମାସ ଶେଷ ଆଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି ।

ବାଲେଶ୍ୱର ସାଂସଦ ପ୍ରତାଷ ଷଡ଼ଙ୍ଗୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ନେତା ଓଡ଼ିଶା ଆସିବେ । କେବେ ଆସିବେ, ଏ ନେଇ ରାଜ୍ୟ ନେତା ସ୍ଥିର କରିବେ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ସୂଚନା ମିଳିଛି । ୨୦୧୯ ପରି ସ୍ୱତନ୍ତ୍ର ବସରେ ଲୋକଙ୍କ ନିକଟକୁ ଯାଇ ପ୍ରଚାର କରିପାରନ୍ତି ନବୀନ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ଏପ୍ରିଲ ୨୯ । ଏହାପରେ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବେ ବୋଲି ଚର୍ଚ୍ଚା ହେଉଛି । ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପାଇଁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ବସ । ଯେଉଁଥିରେ ରୋଡ ସୋ’ କରିଥିଲେ ନବୀନ । ଚଳିତ ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମାନ ଢଙ୍ଗରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି ।