ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକ । ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ରାଷ୍ଟ୍ରୀୟ ସମ୍ମାନର ସହ ହେବ ଶେଷକୃତ୍ୟ ।
କନକ ବ୍ୟୁରୋ: ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକରେ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବିଶିଷ୍ଟ ଲେଖିକା ବୀଣାପାଣି ମହାନ୍ତିଙ୍କ ଦେହାନ୍ତରେ ସେ ଦୁଃଖିତ । ଓଡିଆ ସାହିତ୍ୟରେ ବିଶେଷ ଭାବରେ କାଳ୍ପନିକ ଲେଖା ପାଇଁ ତାଙ୍କ ଅବଦାନ ସ୍ମରଣୀୟ । ତାଙ୍କର ଲେଖାଗୁଡିକ ବିଭିନ୍ନ ଭାଷାରେ ଅନୁବାଦିତ ହୋଇ ବହୁ ଲୋକପ୍ରିୟତା ହାସଲ କରିଛି । ଶେଷରେ ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଓ ପ୍ରଂଶସକଙ୍କୁ ସମବେଦନା ଜଣାଇଛନ୍ତି ।
ଖ୍ୟାତନାମା ଲେଖିକା ବୀଣାପାଣି ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ଓଡ଼ିଆ ସାହିତ୍ୟ ବିଶେଷ ଭାବରେ ଗଳ୍ପ ଓ ଉପନ୍ୟାସ ରଚନା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ଅନ୍ୟ ଭାଷାରେ ଅନୁବାଦିତ ତାଙ୍କର ସୃଷ୍ଟି ବେଶ୍ ଲୋକପ୍ରିୟତା ହାସଲ କରିଛି । ତାଙ୍କର ପରିବାର ଓ ପ୍ରଶଂସକଙ୍କୁ ସମବେଦନା ।
ଓଁ ଶାନ୍ତି ।— Narendra Modi (@narendramodi) April 24, 2022
ଅନ୍ୟପଟେ ଯଶସ୍ୱୀ ସାରସ୍ୱତ ସାଧକ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ନିଜ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ବୀଣାପାଣି ମହାନ୍ତି ତାଙ୍କ ଗଳ୍ପ ଓ ଉପନ୍ୟାସରେ ନାରୀ ଜୀବନର ସଂଘର୍ଷକୁ ସଫଳତାର ସହ ଉପସ୍ଥାପନା କରିଯାଇଛନ୍ତି । ତାଙ୍କର କାଳଜୟୀ ରଚନା ନାରୀ ସଶକ୍ତିକରଣ ପାଇଁ ସବୁବେଳେ ପ୍ରେରଣା ଯୋଗାଇ ଚାଲିବ । ବୀଣାପାଣି ମହାନ୍ତିଙ୍କ ବିୟୋଗ ଓଡ଼ିଆ ସାରସ୍ୱତ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତେବେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି । ସ୍ୱର୍ଗତ ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏହା ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ କାଳଜୟୀ ସୃଜନସୃଷ୍ଟି ପାଇଁ ପାଠକଙ୍କ ହୃଦୟରେ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) April 24, 2022
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବୀଣାପାଣି ମହାନ୍ତିଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି । ଟୁଇଟ୍ କରି ସେ ଲେଖିଛନ୍ତି, ଓଡ଼ିଶାର ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ନିଜର ଉତ୍କୃଷ୍ଟ ଗଳ୍ପ ଓ ଉପନ୍ୟାସ ପାଇଁ ସେ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ି ଜଗନ୍ନାଥ ଦାସ, ସାହିତ୍ୟ ଏକାଡ଼େମୀ ଏବଂ ସାରଳା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କର ଅନେକ କ୍ଷୁଦ୍ରଗଳ୍ପ ଇଂରାଜୀ, ହିନ୍ଦି ଭାଷା ସମେତ ଅନେକ ଆଞ୍ଚଳିକ ଭାଷାରେ ଅନୁବାଦିତ ହୋଇ ପାଠକଙ୍କ ଦ୍ୱାରା ଆଦୃତ ହୋଇପାରିଛି । ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଉଚ୍ଚକୋଟିର ସାହିତ୍ୟିକାଙ୍କୁ ହରାଇଲା । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶାର ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ନିଜର ଉତ୍କୃଷ୍ଟ ଗଳ୍ପ ଓ ଉପନ୍ୟାସ ପାଇଁ ସେ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ି ଜଗନ୍ନାଥ ଦାସ, ସାହିତ୍ୟ ଏକାଡ଼େମୀ ଏବଂ ସାରଳା ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
— Dharmendra Pradhan (@dpradhanbjp) April 24, 2022