କନକ ବ୍ୟୁରୋ: ଚନ୍ଦ୍ରଯାନ-୩ର ଅବତରଣସ୍ଥଳର ନାଁ ‘ଶିବଶକ୍ତି’ ପଏଣ୍ଟା ଅଗଷ୍ଟ ୨୩ରେ ପାଳନ ହେବ ‘ଜାତୀୟ ମହାକାଶ ଦିବସ’ । ଏହା ସହ ଯେଉଁଠି ଲେଉଟି ପଡ଼ିଥିଲା ଚନ୍ଦ୍ରଯାନ-୨, ସେହି ସ୍ଥାନର ନାଁ ‘ତ୍ରିରଙ୍ଗା’ ପଏଣ୍ଟ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Advertisment

ଚନ୍ଦ୍ରଯାନ-୩ ଅବତରଣ ବେଳେ ଜୋହାନ୍ସବର୍ଗରୁ ଯୋଡ଼ି ହୋଇ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ବନିଥିଲେ ପ୍ରଧାନମନ୍ତ୍ରୀ । ଆଉ ବିଦେଶରୁ ଫେରିବା ପରେ ସିଧା ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିଛନ୍ତି ନରେନ୍ଦ୍ର ମୋଦୀ । ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚିବା ପରେ ଫୁଲତୋଡା ଦେଇ ତାଙ୍କୁ ପାଛୋଟି ନେଇଥିଲେ ଇସ୍ରୋ ମୁଖ୍ୟ ଏସ ସୋମନାଥ । ମୋଦୀ ମଧ୍ୟ ପିଠି ଥାପୁଡେଇ ତାଙ୍କୁ ପ୍ରଶଂସା କରିଥିଲେ । ବୈଜ୍ଞାନିକଙ୍କୁ ସମ୍ବୋଧନ କରିବା ବେଳେ ଛଳ ଛଳ ହୋଇ ଯାଇଥିଲା ତାଙ୍କ ଆଖି । ଚନ୍ଦ୍ରଯାନ ଥ୍ରୀ ଅଭିଯାନରେ ସାମିଲ ସମସ୍ତ ବୈଜ୍ଞାନିକଙ୍କ ସହ ଗ୍ରୁପ ଫଟୋ ଉଠାଇଥିଲେ ପ୍ରଧାନମନ୍ତ୍ରୀ । ଅଗଷ୍ଟ ୨୩ର ସେହି ଐତିହାସିକ ମୁହୁର୍ତକୁ ପୁଣି ଦେଖିବା ସହ ସଫଳତା ପଛରେ ଥିବା ସମସ୍ତଙ୍କୁ ଭୁରି ଭୁରି ପ୍ରଂଶସା କରିଥିଲେ ମୋଦୀ ।

ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ହଟିବା ପରେ କଣ କରୁଛି, ଏ ନେଇ ସମସ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ବଢିବାରେ ଲାଗିଛି । ଏପଟେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ରୋଭରର ଗତିବିଧିକୁ ନେଇ ନୂଆ ଭିଡିଓ ଜାରି କରିଛି ଇସ୍ରୋ । ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କିପରି ଚନ୍ଦ୍ରପୃଷ୍ଠରେ ରୋଭର ଗତି କରୁଛି । ଦକ୍ଷିଣ ମେରୁରେ ଥିବା ରହସ୍ୟ ଭେଦ କରିବା ପାଇଁ ତଥ୍ୟ ସଂଗ୍ରହ କରୁଛି ପ୍ରଜ୍ଞାନ । ଏହି ଚିତ୍ର ଲ୍ୟାଣ୍ଡରର ଶକ୍ତିଶାଳୀ କ୍ୟାମେରାରେ ଉଠାଯାଇଛି । ଇସ୍ରୋ ଜଣାଇଛି, ଦକ୍ଷିଣ ମେରୁର ରହସ୍ୟ ଖୋଲିବାକୁ ଶିବଶକ୍ତି ପଏଣ୍ଟରେ ବୁଲୁଛି ପ୍ରଜ୍ଞାନ । ଏହାର ଦୁଇଟି ପେ’ଲୋଡ୍ ସକ୍ରିୟ ରହିଛି । ଗତିବିଧିର ଫଟୋ ଓ ଭିଡିଓ ଜାରି କରୁଛି ଇସ୍ରୋ । ପୃଥିବୀର ୧୪ ଦିନ ଅର୍ଥାତ ଗୋଟିଏ ଚନ୍ଦ୍ର ଦିନ ରୋଭର କାର୍ଯ୍ୟ କରିବ । ଏହି ୧୪ ଦିନ ମଧ୍ୟରେ ଅନେକ କିଛି କାର୍ଯ୍ୟ ସଂପାଦନ କରିବ ରୋଭର । ଚନ୍ଦ୍ରପୃଷ୍ଠ କେଉଁ ରାସାୟନିକ ଉପାଦାନରେ ଗଢ଼ା, ତା’ର ତର୍ଜମା କରିବା ସହ ଚନ୍ଦ୍ରର ମାଟି ଓ ଶିଳା ପରୀକ୍ଷା କରି ତଥ୍ୟ ପଠାଇବ । ଯାହାକୁ ଅପେକ୍ଷା କରି ରହିଛି ସାରା ବିଶ୍ୱ ।