କନକ ବ୍ୟୁରୋ : ଭାରତରେ ପହଂଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଦୁଇ ଦିନିଆ ଭାରତ ଗସ୍ତରେ ଆସି ଗୁଜରାଟ ଅହମଦାବାଦର ପହଂଚିଛନ୍ତି ବୋରିସ । ପହଂଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବିମାନ ବନ୍ଦରଠାରୁ ହୋଟେଲ ପର୍ଯ୍ୟନ୍ତ ଏକ ରୋଡ ସୋ କରାଯାଇଛି । ପରେ ସେ ଯାଇ ଗାନ୍ଧୀ ଆଶ୍ରମରେ ପହଂଚିଛନ୍ତି । ସାବରମତୀ ଆଶ୍ରମରେ ପହଞ୍ଚି ବୋରିସ୍ ସେଠାରେ ଅରଟ ବୁଲାଇଥିବା ଦେଖିବାକୁ ମିଳିଛି ।
ବ୍ରିଟେନ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଦୁଇ ନେତାଙ୍କ ମଧ୍ୟରେ ବିଶେଷ ଭାବରେ ଟ୍ରେଡ ଓ ପ୍ରତିରକ୍ଷା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ଏହାସହ ମିଲିଟାରୀ ହାର୍ଡୱାର ନିର୍ମାଣ କ୍ଷେତ୍ରରେ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଇଣ୍ଡୋ ପ୍ୟାସିଫିକ୍ ସ୍ଥତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବେ ବୋରିସ୍ ଜନସନ୍ । ଭାରତ ସହ ବ୍ୟବସାୟୀକ ଚୁକ୍ତି ପରେ ଅଧିକ ଭିଜା ଦେବାପାଇଁ ବ୍ରିଟେନ ବ୍ୟବସ୍ଥା କରିବ ବୋଲି ବୋରିସ ଜନସନ ସଙ୍କେତ ଦେଇଛନ୍ତି । ପ୍ରଥମ ଥର ପାଇଁ ଗୁଜରାଟ ଆସିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ।