ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ । ମୋଦି-ବାଇଡେନ୍ ସାକ୍ଷାତ୍ ଉପରେ ନଜର 

134

କନକ ବ୍ୟୁରୋ: ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ପ୍ରଥମଥର ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ସକାଳୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାତ୍ରା କରିଛନ୍ତି ମୋଦି ଆଉ ଆମେରିକା ଉଦ୍ଦେଶ୍ୟରେ ନିଜ ଯାତ୍ରା ପୂର୍ବରୁ ମୋଦି କହିଛନ୍ତି…

“ଆମେରିକା ଯାତ୍ରାରେ ମୁଁ ରାଷ୍ଟ୍ରପତି ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବି.. ଏଥିରେ ଭାରତ-ଆମେରିକାର ବ୍ୟାପକ ରଣନୀତି ସହଯୋଗ ନେଇ ସମୀକ୍ଷା କରିବି..  ପରସ୍ପର ସ୍ୱାର୍ଥ ନେଇ ଆଲୋଚନା କରିବା ସହ ବିଶ୍ୱର ମୁଖ୍ୟ ପ୍ରସଙ୍ଗ ଉପରେ ମୁଁ ଆଲୋଚନା କରିବି..”

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି – “ରାଷ୍ଟ୍ରପତି ବାଇଡେନଙ୍କ ସମେତ କ୍ୱାଡ୍ ସମ୍ମିଳନୀରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କୁ ମଧ୍ୟ ଭେଟିବି, ଯେଉଁଠି ଭବିଷ୍ୟତ ପାଇଁ ପରସ୍ପରର ସହଭାଗିତା ନେଇ ଆଲୋଚନା କରାଯିବ..” । ତେବେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ବାଇଡେନଙ୍କ ମଧ୍ୟରେ ପ୍ରଥମ ଥର ଦ୍ୱିପାକ୍ଷିକ ଆଲୋଚନା ହେବ । ଏଥିପାଇଁ ମୋଦିଙ୍କ ଏହି ଯାତ୍ରା ଉପରେ ରହିଛି ସାରା ବିଶ୍ୱର ନଜର । ନିଜର ୪ ଦିନିଆ ଗସ୍ତରେ ମୋଦି ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ:

  • ୨୨ ସେପ୍ଟେମ୍ବର – ରାଷ୍ଟ୍ରପତି ବାଇଡେନଙ୍କ ଦ୍ୱାରା ଆୟୋଜିତ କୋଭିଡ୍-୧୯ ସମ୍ମିଳନୀରେ ଯୋଗଦେବେ
  • ୨୩ ସେପ୍ଟେମ୍ବର – ଉପ-ରାଷ୍ଟ୍ରପତି କମଲା ହାରିସଙ୍କ ସହ ବୈଠକ ଏଥିସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କୁ ଭେଟିବେ ମୋଦି ୱାସିଙ୍ଗଟନର ଆମେରିକାର ବଡ ବଡ କମ୍ପାନୀର ସିଇଓଙ୍କୁ ଭେଟିବେ ମୋଦି
  • ୨୪ ସେପ୍ଟେମ୍ବର – ରାଷ୍ଟ୍ରପତି ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଏବଂ କ୍ୱାଡ୍ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି
  • ୨୫ ସେପ୍ଟେମ୍ବର – ୟୁଏନ୍ ଜେନେରାଲ ଆସେମ୍ବଲିକୁ ସମ୍ବୋଧନ କରିବେ ମୋଦି

ଆମେରିକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେପ୍ଟେମ୍ବର ୨୬ ତାରିଖରେ ଭାରତ ଫେରିବେ ପ୍ରଧାନମନ୍ତ୍ରୀ । ତେବେ କରୋନା ମହାମାରୀ ପାଇଁ ପ୍ରାୟ ୨ ବର୍ଷ ପରେ ମୋଦିଙ୍କର ଏହା ପ୍ରଥମ ବିଦେଶ ଯାତ୍ରା ହୋଇଛି ।