ସର୍ବାଧିକ କରୋନା ପ୍ରଭାବିତ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ । କରୋନା ନିୟନ୍ତ୍ରଣ ନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ମୋଦିଙ୍କ ପ୍ରଶଂସା

517

କନକ ବ୍ୟୁରୋ : ଦେଶରେ ସର୍ବାଧିକ ପ୍ରଭାବିତ ହୋଇଥିବା ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ୟୁପି, ତାମିଲନାଡୁ, ଦିଲ୍ଲୀ ଓ ପଂଜାବ, ଏହି ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କୋଭିଡ୍ ନିୟନ୍ତ୍ରଣ ନେଇ ରାଜ୍ୟ ସରକାରମାନେ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମୋଦି ।

ସେହିପରି ଟେଷ୍ଟିଂ, ଟ୍ରାକିଂ, ଟ୍ରିମେଂଟ ସହ ସର୍ଭିଲାନ୍ସ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାରଗୁଡ଼ିକ ଏଣିକି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିର ୫୦% ଯାଏଁ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ଗୁଡ଼ିକ ଏହି ପାଣ୍ଠିରୁ ସର୍ବାଧିକ ୩୫% ଯାଏଁ ଖର୍ଚ୍ଚ କରିପାରୁଥିଲେ ।

ଦେଶରେ ସର୍ବାଧିକ ପ୍ରଭାବିତ ହୋଇଥିବା ଏହି ୭ଟିରାଜ୍ୟରେ ଏବେ ୬୩ ପ୍ରତିଶତ ସକ୍ରିୟ ମାମଲା ରହିଛି । ସେହିପରି ଦେଶର ୭୭% କରୋନା ମୃତ୍ୟୁ ଏହି ୭ଟି ରାଜ୍ୟରୁ ହୋଇଛି । ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ୟୁପି ଏବଂ ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ବେଳେ ଦିଳ୍ଲୀ ଓ ପଂଜାବରେ ପୁଣି ଆକ୍ରାନ୍ତ ସଂଖ୍ୟା ବଢୁଛି ।