ଚୀନକୁ ପ୍ରଧାନମନ୍ତ୍ରୀଙ୍କ ସିଧା କଥା । ସବୁବେଳେ ଶାନ୍ତି ଓ ବନ୍ଧୁତ୍ୱ ଚାହେଁ ଭାରତ, କିନ୍ତୁ ରାଷ୍ଟ୍ରର ସାର୍ବଭୌମତ୍ୱ ସର୍ବୋପରି  ।  କାହା କବଜାରେ ଭାରତର କୌଣସି ପୋଷ୍ଟ, କେହି ନେଇପାରିବେ ନାହିଁ ଗୋଟିଏ ଇଂଚ ଜାଗା

650

କନକ ବ୍ୟୁରୋ : ସୀମାରେ ଉତେଜନା ସୃଷ୍ଟି କରୁଥିବା ଚୀନକୁ ସିଧା ସଳଖ ଚେତାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି ଭାରତ ସବୁବେଳେ ଶାନ୍ତି ଓ ବନ୍ଧୁତ୍ୱ ଚାହେଁ , କିନ୍ତୁ ରାଷ୍ଟ୍ରର ସାର୍ବଭୌମତ୍ୱ ସର୍ବୋପରି  । ଦେଶର ସୁରକ୍ଷା ଦେବାକୁ ସେନା ସକ୍ଷମ । ଦେଶକୁ ରକ୍ଷା କରିବା ପାଇଁ ଜଳ-ସ୍ଥଳ- ଆକାଶରେ ଆମ ସେନା ଯାହା କରିବା  କଥା ତାହା କରୁଛନ୍ତି । ଆମର କେହି ଗୋଟିଏ ଇଂଚ ହେଲେ ବି ଜାଗା ଉପରକୁ ଆଖି ଉଠାଇ ଚାହିଁ ପାରିବେ ନାହିଁ ।

ଯେଉଁମାନେ ଆଖି ଉଠାଇ ଦେଖିଛନ୍ତି ସେମାନଙ୍କୁ ଶିକ୍ଷା ମିଳିଛି । ଭାରତର କୌଣସି ସେନା ଶିବିର ଚୀନ କବଜାରେ ନାହିଁ । ସୀମା ଭିତରକୁ ଶତ୍ରୁ ପଶି ଆସିନାହିଁ । ଏଥିସହ ବର୍ତମାନ ଏଲଏସିରେ ସେନାର ପେଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି । ଅନ୍ୟପଟେ ଗତ ୧୫ ତାରିଖରେ ଘଟିଯାଇଥିବା ଘଟଣା ପାଇଁ ଚୀନକୁ ଭାରତ ତାର ମତ ସ୍ପଷ୍ଟ ଭାବେ ଜଣାଇ ଦେଇଛି ବୋଲି କହିଛନ୍ତି ମୋଦି । ଗଲୱାନ ଘାଟିରେ ଚୀନ ଓ ଭାରତ ମଧ୍ୟରେ ହୋଇଥିବା ସଂଘର୍ଷ ପ୍ରସଙ୍ଗରେ ଆଲୋଚନା କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ।