କୃଷି ବିଲକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ପ୍ରଧାନମନ୍ତ୍ରୀ । କହିଲେ, ପୂର୍ବ ଭଳି ଜାରି ରହିବ ଏମଏସପି, ବନ୍ଦ ହେବନି ମଣ୍ଡି ବ୍ୟବସ୍ଥା । ବିରୋଧୀଙ୍କୁ ଟାର୍ଗେଟ୍ କରି କହିଲେ, ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ

307

କନକ ବ୍ୟୁରୋ : ଯେଉଁ କୃଷି ବିଲ୍କୁ ନେଇ ସଡ଼କରୁ ସଂସଦ ସବୁଠି ବିରୋଧୀ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି, ସେହି କୃଷି ବିଲ୍ ପ୍ରସଙ୍ଗରେ ପୁଣି ଥରେ ସ୍ପଷ୍ଟିକରଣ ରଖିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷ କରି ଏମ୍ଏମ୍ପି ବା ଚାଷୀ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଚାଷୀ ଉତ୍ପାଦନର ବିକ୍ରି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି-‘ପୂର୍ବ ଭଳି ଜାରି ରହିବ ଏମ୍ଏସ୍ପି ବ୍ୟବସ୍ଥା’ । ‘ଚାଷୀ ଉତ୍ପାଦନର ବିକ୍ରି ବ୍ୟବସ୍ଥା ଜାରି ରହିବ’ ।

ପ୍ରଧାନମନ୍ତ୍ରୀ କେବଳ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ତାହା ନୁହେଁ, ବିରୋଧୀ କଂଗ୍ରେସକୁ କଡ଼ା ଭାଷାରେ ସାମାଲୋଚନା କରିଛନ୍ତି । କହିଛନ୍ତି- ଏମ୍ଏସ୍କୁ ନେଇ ଚାଷୀଙ୍କୁ ଭ୍ରମିତ କରାଯାଉଛି । ସ୍ୱାମୀନାଥନ୍ କମିଟିର ସୁପାରିଶଙ୍କୁ ଯେଉଁମାନେ ନିଜ ପାଦ ତଳେ ଚାପି ରହିଥିଲେ, ସେମାନେ ଆଜି ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କୃଷି ବିଲ ସଂସଦର ଉଭୟ ଗୃହରେ ପାରିତ ହୋଇଥିବା ସତ୍ୱେ ଏହାକୁ ନେଇ ପ୍ରତିବାଦ ଥମୁନି । ଯୁବ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସର କର୍ମକର୍ତା ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ ପ୍ରତିବାଦ କରିଛନ୍ତି । ଏହି ବିଲ୍ କୃଷକ ପରିବାର ପ୍ରତି କୁଠାରଘାତ ଏବଂ କିଛି ପୁଞ୍ଜିପତିଙ୍କ ସ୍ୱାର୍ଥରେ ଏଭଳି ବିଲ୍ ଅଣାଯାଇଥିବା ଅଭିଯୋଗ କରିଛି ଯୁବ କଂଗ୍ରେସ ।

ଏପଟେ କୃଷି ବିଲ୍କୁ ନେଇ ନେଇ ବିଜେଡି-ବିଜେପି ରାଜନୀତି କରୁଥିବା କହିଛନ୍ତି ପିସିସି ସଭାପତି । ବିଜେଡି- କଭି ଖୁସି, କଭି ଗମ୍ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି । ଏପଟେ ବିଜେପି କହିଛି- ବିଜେଡି ସହ ଆମର ପ୍ରେମ ସମ୍ପର୍କ ନାହିଁ । ସବୁ ବେଳେ ବିଜେଡି ସହ ଲଢ଼େଇ କରୁଛୁ ବୋଲି ପ୍ରଦୀପ ନାୟକ କହିଛନ୍ତି । ଏପଟେ ବିଲରେ ତର୍ଜମା ଆବଶ୍ୟକତା ରହିଛି ବୋଲି ବିଜେଡି ଦାବି କରିଛି ।

ଚାଷ ଓ ଚାଷୀଙ୍କ ସମ୍ପର୍କିତ ଏହି ୩ଟି ବିଲରେ ଗୋଟିଏ ଦେଶ ଗୋଟିଏ ବଜାର, ଚାଷୀ ଉତ୍ପାଦନର ସୁବ୍ୟବସ୍ଥିତ ବଜାର ବ୍ୟବସ୍ଥା ଏବଂ କଂଟ୍ରାକ୍ଟ ଫାର୍ମିଂ ବା ଠିକା ଚାଷ ଭଳି ବ୍ୟବସ୍ଥା ରହିଛି । ଯାହାକୁ ନେଇ ବିରୋଧୀ କଂଗ୍ରେସ ସମେତ ଏକାଧିକ ରାଜନୈତିକ ଦଳ ବିଲ୍କୁ ବିରୋଧ କରି ଆସୁଛନ୍ତି ।