କନକ ବ୍ୟୁରୋ: ପୁରୀର ବିକାଶ ପାଇଁ ମୋଦି ଦେଇଛନ୍ତି ୧୭୫ କୋଟି । ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତ୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀ ଠାରେ ସିଏସଆର ଅନ୍ତର୍ଗତ ପ୍ରାୟ ଦେଢ କୋଟି ଟଙ୍କାର ପ୍ରକଳ୍ପ ତଥା କମ୍ୟୁନିଟି ସେଂଟର ଓ କଲ୍ୟାଣ ମଣ୍ଡପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ପୁରୀରେ ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରଣାଳୟର ସିଏସଆର ଅଧୀନରେ ୨୭ କୋଟିର ପ୍ରକଳ୍ପ କ୍ରିୟାନ୍ୱୟନ ହେଉଥିବା ସେ କହିଛନ୍ତି । କେବଳ ଏତିକି ନୁହେଁ ଅନେକ ଯୁବ ଖେଳାଳୀଙ୍କ ସ୍ୱପ୍ନକୁ ସାକାର କରିଥିବା ଝାଡ଼େଶ୍ୱରୀ କ୍ଲବ ଲୋକାର୍ପିତ କମ୍ୟୁନିଟି ସେଂଟର ଦ୍ୱାରା ବିଶେଷ ଭାବରେ ଉପକୃତ ହୋଇପାରିବ ବୋଲି ଉଦଘାଟନ କରି କହିଛନ୍ତି ଧର୍ମେନ୍ଦ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । କରୋନା ମହାମାରୀ ସମୟରେ ରଥଯାତ୍ରା ହେଉ କିମ୍ବା ନବକଳେବର ବା ଶ୍ରୀମନ୍ଦିରର ବିକାଶ ଓ ପ୍ରସ୍ତାବିତ ଉପକୂଳ ରାଜପଥ ସବୁ କ୍ଷେତ୍ରରେ ମୋଦି ସରକାର ଆନୁଷାଙ୍ଗୀକ ସହଯୋଗ ଯୋଗାଇ ଆସୁଛନ୍ତି । ପୁରୀକୁ ଆଧୁନିକ ସହର ଭାବରେ ଗଢ଼ିତୋଳିବା ପାଇଁ ଆମେ ସମସ୍ତେ ଚେଷ୍ଟା କରିବା ଦରକାର ।
ପୁରୀ ଭଳି ସହରରେ ପାଇପରେ ସ୍ୱଚ୍ଛ ଇନ୍ଧନ ଯୋଗାଇବା ତଥା ପୁରୀକୁ ସବୁଜ ସୁନ୍ଦର କରିବା ପାଇଁ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ୍ ମନ୍ତ୍ରଣାଳୟ ଗୁଡ଼ିକ ସହଯୋଗୀ ହେଉଥିବାରୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି । ଆସନ୍ତାକାଲି ଠାରୁ ମହାପ୍ରଭୁଙ୍କ ଆଶୀର୍ବାଦ କାରଣରୁ ସାରା ଭାରତବର୍ଷରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟୀକାକରଣ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାରୀ ମେଡ଼ିକାଲରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ କୌଣସି ରୋଗର ଶୀକାର ହୋଇଥିବା ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାଗଣାରେ ଟୀକା ଦିଆଯିବା ଏବଂ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ୨୫୦ ଟଙ୍କାରେ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହା ସମସ୍ତଙ୍କ ପାଇଁ ଗୌରବର ଦିନ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।