ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ମାନସ ମନ୍ଥନ: ଆଗାମୀ ବିଧାନସଭା ବିଜୟ ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

66

କନକ ବ୍ୟୁରୋ: ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ବୈଠକକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେବା ହିଁ ସବୁଠୁ ବଡ ପୂଜା । ସେହିପରି ଆଗାମୀ ବିଧାନସଭା ନିର୍ବାଚନ ବିଜୟ ନେଇ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ନରେନ୍ଦ୍ର ମୋଦି । କାର୍ଯ୍ୟକାରିଣୀକୁ ସମ୍ବୋଧନ କରି ମହାମାରୀ ମୁକାବିଲାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ଜେପି ନଡ୍ଡା । ଏଥିସହ କେନ୍ଦ୍ର ସରକାରଙ୍କ ଉପଲବ୍ଧିକୁ ଗୋଟି ଗୋଟି କରି ସେ ଉଲ୍ଲେଖ କରିଛନ୍ତି ।

ସେହିପରି ସଦ୍ୟ ଶେଷ ହୋଇଥିବା ବିଧାନସଭା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ ନଡ୍ଡା କହିଥିଲେ, ପଶ୍ଚିମବଙ୍ଗରେ ବିଜେପି ନୂଆ ଇତିହାସ ଲେଖିବ । ପଶ୍ଚିମବଙ୍ଗରେ ୪ଟି ବିଧାନସଭା ଉପନିର୍ବାଚନରେ ବିଜୟୀ ହୋଇଛି ତୃଣମୂଳ କଂଗ୍ରେସ । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପରିବହନ ମନ୍ତ୍ରୀ ନୀତିନ ଗଡକରି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୈଠକରେ ସାମିଲ ହୋଇଥିଲେ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଆସନ୍ତା ବର୍ଷ ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ମାନସମନ୍ଥନ କରାଯାଇଛି ।ଏଥିସହ ଉପନିର୍ବାଚନରେ ବିଜେପିର ଖଟ୍ଟା ମିଠା ଫଳାଫଳକୁ ନେଇ ସମୀକ୍ଷା କରିଛି ଦଳ ।