କୋଭିଡ୍ ଟିକା ପ୍ରସ୍ତୁତି ତଦାରଖ କରିବାକୁ ଅହମଦାବାଦରେ ପହଂଚିଲେ ପ୍ରଧାନମନ୍ତ୍ରୀ : ଜାଇଡ଼ସ କାଡ଼ିଲା ପ୍ଲାଂଟରେ ଟିକା ପ୍ରସ୍ତୁତି ବାବଦରେ କରିବେ ସମୀକ୍ଷା

 ପରେ ହାଇଦ୍ରାବାଦ ଓ ପୁନେଗସ୍ତ କାର୍ଯ୍ୟକ୍ରମ

91

କନକ ବ୍ୟୁରୋ : କେତେବାଟ ଆଗେଇଲାଣି ଦେଶରେ କୋଭିଡ଼ ଟିକା ପ୍ରସ୍ତୁତି । ଆଜି ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ଅହମଦାବାଦରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ ଜାଇଡ଼ସ୍ କାଡ଼ିଲା ପ୍ଲାଂଟରେ କୋଭିଡ଼ ଟିକା ଅଗ୍ରଗତି ନେଇ ମୋଦୀ ସମୀକ୍ଷା କରିବେ । ଜାଇଡ଼ସ୍ କାଡ଼ିଲା ପକ୍ଷରୁ ବିକଶିତ ଟିକାର ୨ଟି ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଶେଷ ହୋଇଛି । ଏହି ଟିକା ନୈଦାନିକ ପରୀକ୍ଷଣରେ କେତେ ସଫଳ ହୋଇଛି ସେନେଇ ତଥ୍ୟ ସଂଗ୍ରହ କରିବେ ମୋଦୀ । ଅହମଦାବାଦରୁ ହାଇଦ୍ରାବାଦ ଓ ପୁନେ ଗସ୍ତ କରିବେ ମୋଦୀ । ହାଇଦ୍ରାବାଦରେ ଭାରତ ବାଇଓଟେକ୍ ଟିକା ପ୍ରସ୍ତୁତି କରୁଛି  ।

ସେହିପରି ପୁନେରେ ସିରମ ଇନଷ୍ଟିଚ୍ୟୁଟର ଟିକା ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି  । ମୋଦୀ ଏହି ସବୁ ଜାଗାକୁ ଯାଇ ଟିକା ପ୍ରସ୍ତୁତି କରଣ ଓ ପ୍ରକ୍ରିୟାର ଅଗ୍ରଗତି ବିଷୟରେ ଅନୁଧ୍ୟାନ କରିବେ  । ସୂଚନାଯୋଗ୍ୟ ଯେ, ଦେଶରେ କରୋନା ଟିକା ପ୍ରସ୍ତୁତି ପାଇଁ ଏହି ସବୁ ସଂସ୍ଥା ଜୋରସୋରରେ ଲାଗିପଡ଼ିଛନ୍ତି  । ସିରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନିକା ସହ ମିଶି କରୋନା ଟିକା ପ୍ରସ୍ତୁତ କରୁଛି । ସିରମ ଇନଷ୍ଟିଚ୍ୟୁଟରେ ବିଶ୍ୱରେ ସବୁଠୁ ଅଧିକ ପରିମାଣରେ ଟିକା ପ୍ରସ୍ତୁତ କରିଥାଏ ।

ସେହପିରି ଆଇସିଏମଆର ସହ ମିଶି ସ୍ୱଦେଶୀ କରୋନା ଟିକା ପ୍ରସ୍ତୁତିରେ ଲାଗିପଡ଼ିଛି ଭାରତ ବାଇଓଟେକ । ପୂର୍ବରୁ ନଭେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତି ଓ ପରିଚାଳନା ନେଇ ଆଲୋଚନା କରିଥିଲେ । ଟିକା ଆସିଲେ ଏହାର ସୁବିତରଣ ନେଇ ପ୍ରସ୍ତୁତ ରହିବାକୁ ଏଥିରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ  ।