ଔଷଧ ଦୋକାନରେ ମିଳିବନି କରୋନା ଟିକା । ମେ ପହିଲାରୁ ଡାକ୍ତରଖାନା ଓ ଅଧିକୃତ ଟିକାକରଣ କେନ୍ଦ୍ରରେ କିଣିପାରିବେ ଭ୍ୟାକ୍ସିନ । ସେପଟେ କୋଭିସିଲଡ ଟିକାର ଦର ଧାର୍ଯ୍ୟ କଲା ସେରମ

242

କନକ ବ୍ୟୁରୋ: ମେ ପହିଲାରୁ ଦେଶରେ ୧୮ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ଟିକା ଆବଶ୍ୟକତାକୁ ପୁରଣ କରିବାକୁ ଗଲା ସୋମବାର କେନ୍ଦ୍ର ସରକାର ଘୋଷଣା କରିଥିଲେ । ଟିକା ନିର୍ମାଣକାରୀ ସଂସ୍ଥା ଉତ୍ପାଦନର ୫୦ ପ୍ରତିଶତ ଟିକାକୁ ରାଜ୍ୟ ସରକାର କିମ୍ବା ଖୋଲା ବଜାରରେ ବିକ୍ରି କରିପାରିବେ ।

ସରକାରଙ୍କ ନୂଆ ନୀତି ପରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କୋଭିସିଲଡ ଟିକାର ଦର ଧାର୍ଯ୍ୟ କରିଛି । ଟୁଇଟ କରି ସେରମ ପକ୍ଷରୁ ଟିକାର ଦର ବାବଦରେ ସୂଚନା ଦେଇଛନ୍ତି ଅଦାର ପୁନାୱାଲା ।

ରାଜ୍ୟ ସରକାରଙ୍କ ପାଇଁ କୋଭିସିଲଡ ଟିକାର ଦର ୪୦୦ ଟଙ୍କା
ଘରୋଇ ହସ୍ପିଟାଲ ପାଇଁ କୋଭିସିଲଡ ଟିକାର ଦର ୬୦୦ ଟଙ୍କା
କେନ୍ଦ୍ର ସରକାରଙ୍କୁ କୋଭିସିଲଡ ଟିକା ୧୫୦ ଟଙ୍କାରେ ଯୋଗାଣ ଜାରି ରହିବ

ଟିକାର ଦର ଘୋଷଣା କରି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ବିଶ୍ୱର ଅନ୍ୟ କୌଣସି କରୋନା ଟିକାର ଦାମ ଠାରୁ କୋଭିସିଲଡ ଟିକାର ଦାମ ଯଥେଷ୍ଟ କମ । ବିଶ୍ୱରେ ଏବେ କୋଭିଡ ଟିକାର ଦର ୭୫୦ ଟଙ୍କାରୁ ୧୫ଶହ ଟଙ୍କାରେ ଗୋଟିଏ ଡୋଜ ବିକ୍ରି ହେଉଛି । ଆମେରିକା ଟିକାର ଦାମ ୧୫୦୦ ଟଙ୍କା । ଋଷିଆନ ଟିକାର ଦାମ ୭୫୦ ଟଙ୍କା । ଚୀନ ଟିକାର ଦାମ ୭୫୦ ଟଙ୍କାରେ ଗୋଟିଏ ଡୋଜ ବା ପାନ ବିକ୍ରି ହେଉଛି । ତେବେ କୋଭିସିଲ୍ଡ ଟିକା ଆସନ୍ତା । ୪-୫ ମାସ ପରେ ଖେଲା ବଜାରରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛି ସେରମ ଇନଷ୍ଟିଚ୍ୟୁଟ ।

କେନ୍ଦ୍ର ସରକାର ଖୋଲା ବଜାରରେ ଟିକା ବିକ୍ରି କରିବା ପାଇଁ ଟିକା ନିର୍ମାତାଙ୍କୁ ଅନୁମତି ଦେଇଥିଲେ ମଧ୍ୟ ଏବେ ଖୋଲା ବଜାରରେ ଅର୍ଥାତ ଔଷଧ ଦୋକାନରେ ଟିକା ମିଳିବ ନାହିଁ । ଏବେ କେବଳ ଡାକ୍ତରଖାନା କିମ୍ବା ଅଧିକୃତ ଟିକାକରଣ କେନ୍ଦ୍ରରେ ଟିକା ମିଳିବ । ଏଥିପାଇଁ ଆଡଭର୍ସ ଇଭେଂଟ ଫଲୋଇଂଗ ଇମୁନାଇଜେସନ ବା ଏଇଏଫଆଇଏସ ପକ୍ଷରୁ ଟିକା କରଣକେନ୍ଦ୍ର ସହ କୋ-ୱିନ ଆପରେ ଯୋଡି ହେବ । ଏବଂ ଟିକା ନେଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବ । କିଛି ନିର୍ଦ୍ଧିଷ୍ଟ ଲକ୍ଷଣକୁ ନେଇ ଏଇଏଫଆଇଏସ ଦିନେ ଦୁଇ ଦିନ ଭିତରେ ନିର୍ଦ୍ଦେଶାବଳୀ ଜାରି କରିବ ବୋଲି ସୂଚନା ମିଳିଛି ।

ପିଟୁସି: କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବାରୁ ଖୋଲା ବଜାରରେ ବିକ୍ରି କରାଯାଇ ପାରିବ ନାହିଁ । ଅନ୍ୟପଟେ ଟିକାକରଣ ପରେ ପାଶ୍ୱର୍ପ୍ରତିକ୍ରିୟା ଦେଖା ଦେଲେ ଏହାର ଅନୁସନ୍ଧାନ ଓ ଚିକିତ୍ସା ପାଇଁ ଏଇଏଫଆଇଏସ ସହ ଚୁକ୍ତି କରାଯାଇଛି ।
କରୋନା ବିରୋଧ ଲଢେଇରେ ଟିକା ଏକ ପ୍ରମୁଖ ଅସ୍ତ୍ର ହୋଇଥିବାରୁ ମେ ପହିଲାରୁ ଟିକାକରଣର ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦେବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ହେଲେ ସବୁଠୁ ବଡ ପ୍ରଶ୍ନ ସରକାର ଆବଶ୍ୟକ ସଂଖ୍ୟକ ଟିକା ଯୋଗାଇ ପାରିବେ ତ? କାରଣ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ସମୟରୁ ବହୁ ରାଜ୍ୟ ଟିକା ଅଭାବ ଅଭିଯୋଗ ଉଠାଇ ଆସୁଛନ୍ତି ।