କନକ ବ୍ୟୁରୋ: ଏଣିକି ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ । ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ବିକ୍ରି ନେଇ ସୁଆର ଓ ମହାସୁଆର ପକ୍ଷରୁ ଦିଆଯାଇଛି ପ୍ରାଥମିକ ସ୍ତରର ଦର ତାଲିକା । ପରୀକ୍ଷାମୂଳକ ଭାବେ ଏହ ଦର ତାଲିକା ପ୍ରସ୍ତୁତ ହୋଇଛି । ମହାପ୍ରସାଦ ରନ୍ଧାଯିବା ପରେ ହୋଇଥିବା ଖର୍ଚ୍ଚକୁ ଆଧାର କରି ଏହି ରେଟ୍ ଚାର୍ଟ ପ୍ରସ୍ତୁତ ହୋଇଛି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ପରେ ମହାପ୍ରସାଦର ଚୂଡାନ୍ତ ଦର ତାଲିକା ଦିଆଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି । ଏହି ରେଟ୍ ଚାର୍ଟ ଅନୁସାରେ, ବାଇ ହାଣ୍ଡି ଅନ୍ନ ପାଇଁ ୧୩ଶହ ରୁ ୨୫ଶହ ଟଙ୍କା ରଖାଯାଇଥିବାବେଳେ, ଦାସିଆ ହାଣ୍ଡି କାନିକା ପାଇଁ ୩ହଜାର ଟଙ୍କା ରଖାଯାଇଛି । ସେପଟେ ବଜାର ଦରକୁ ଦେଖି ନୁହେଁ ବରଂ ଭକ୍ତଙ୍କ ଆର୍ଥିକ ସ୍ଥିତି ଓ ଭାବାବେଗକୁ ଦେଖି ମହାପ୍ରସାଦ ଦର ସ୍ଥିର କରାଯିବା ଉଚିତ ବୋଲି କହିଛନ୍ତି ଆଇନଜୀବୀ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦସ୍ୟ ।