ରାଜ୍ୟରେ ହସ୍ପିଟାଲ ଉପରୁ କମୁଛି ଚାପ । ଖାଲି ହେଲା ୭୬ ପ୍ରତିଶତ ଜେନେରାଲ ବେଡ୍, ୪୨ ପ୍ରତିଶତ ଆଇସିୟୁ ଏବଂ ୪୪ ପ୍ରତିଶତ ଭେଂଟିିଲେଟର ବେଡ୍ ଖାଲି 

120

କନକ ବ୍ୟୁରୋ: ତାଲାବନ୍ଦ ସମ୍ପର୍କରେ ରାଜ୍ୟ ସରକାରଙ୍କ ପରବର୍ତୀ ନିଷ୍ପତି ଆସିବା ପୂର୍ବରୁ ଓଡ଼ିଶାର ସଂକ୍ରମଣର ସ୍ଥିତିକୁ ସୁଚାଉଥିବା ଏହି ଚିତ୍ର ହୁଏତ, ସମସ୍ତଙ୍କୁ ଆଶ୍ୱସ୍ତ କରିବ । କାରଣ, ଜୁନ୍ ପହିଲାରେ ୧୪.୨% ଥିବା ଦୈନିକ ସଂକ୍ରମଣ ହାର, ଏବେ ୫.୯୯%କୁ ଖସି ଆସିଛି । ଦୀର୍ଘଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ୪ ହଜାର ତଳକୁ ଖସିଛି । କେବଳ ଦୁଇଟି ଜିଲ୍ଲା ଯାଜପୁର ୨୨.୩୩% ଏବଂ ଖୋର୍ଦ୍ଧା ୧୦.୯୫%, ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ବାକି ସବୁ ଜିଲ୍ଲା ୧୦% ତଳେ ରହିଛି ।

ଓଡ଼ିଶାରେ ସଂକ୍ରମଣ କମିବାର ଆଉ ଏକ ସଂକେତ ଦେଉଛି ହସ୍ପିଟାଲ ଉପରେ କମୁ ଥିବା ଚାପ । ରାଜ୍ୟର କୋଭିଡ୍ ହସ୍ପିଟାଲରେ ୧୧ ହଜାର ୫୪ ସାଧାରଣ ଶଯ୍ୟା ଥିବାବେଳେ ମାତ୍ର ୨ ହଜାର ୬୭୨ ଶଯ୍ୟାରେ ରୋଗୀ ଅଛନ୍ତି । ଅର୍ଥାତ ୨୪ ଦଶମିକ ୧୭ ପ୍ରତିଶତ ଜେନେରାଲ ବେଡରେ ରୋଗୀ ଚିକିତ୍ସିତ ହେଉଥିବା ବେଳେ ପ୍ରାୟ ୭୬ ପ୍ରତିଶତ ଜେନେରାଲ ବେଡ ଖାଲି ରହିଛି । ରାଜ୍ୟରେ ୪ହଜାର ୫୧୨ ଆଇସିୟୁ-ଡିଏଚ୍ୟୁ ବେଡରୁ କେବଳ ୨ ହଜାର ୬୦୫ ଶଯ୍ୟାରେ ରୋଗୀ ଅଛନ୍ତି । ମୋଟ ଆଇସିୟୁ-ଡିଏଚ୍ୟୁ ବେଡର ୫୭ ଦଶମିକ ୭୩ ପ୍ରତିଶତରେ ରୋଗୀ ଥିବା ବେଳେ ପ୍ରାୟ ୪୨ ପ୍ରତିଶତ ଆଇସିୟୁ ବେଡ ଖାଲି ରହିଛି । ସେହିପରି ରାଜ୍ୟରେ ୧୩୨୪ ଭେଂଟିଲେଟର ଥିବା ବେଳେ ୭୩୯ ଭେଡଟିଲେଟର ରୋଗୀଙ୍କୁ ଲାଗିଛି ।

ଶଯ୍ୟା                      ଶଯ୍ୟା ସଂଖ୍ୟା   ରୋଗୀ ଅଛନ୍ତି    ପ୍ରତିଶତ    

ସାଧାରଣ ବେଡ୍           ୧୧୦୫୪   ୨୬୭୨    ୨୪.୧୭%

ଆଇସିୟୁ-ଡିଏଚ୍ୟୁ        ୪୫୧୨   ୨୬୦୫    ୫୭.୭୩%

ଭେଂଟିଲେଟର             ୧୩୨୪    ୭୩୯    ୫୫.୮୨%

ଏସବୁ ଭିତରେ ସହରାଚଂଳ ଓ ଗ୍ରାମାଂଚଳର କରୋନା ସଂକ୍ରମିତଙ୍କ ଭିତରେ ଏକ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଛି । କରୋନାର ଦ୍ୱିତୀୟ ଲହରରେ ସହରାଚଂଳ ପରେ ଗ୍ରାମାଂଚଳରେ ଅଧିକ ସଂକ୍ରମଣ ଦେଖିବାକୁ ମିଳିଥିଲା । କିନ୍ତୁ ସହରାଚଂଳ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେଉଥିବା ଦେଖିବାକୁ ମିଳୁଥିବା କହିଛନ୍ତି ବିଶେଷଜ୍ଞ ଡାକ୍ତର । ଏହାରି ଭିତରେ ସାରା ଓଡ଼ିଶାର ଅପେକ୍ଷା ରହିଛି, ୧୭ ତାରିଖ ପରେ ତାଲାବନ୍ଦ ସମ୍ପର୍କରେ କ’ଣ ନିଷ୍ପତି ନେବେ ରାଜ୍ୟ ସରକାର?